ନୂଆଦିଲ୍ଲୀ, ଏପ୍ରିଲ ୩୦ (ଓଡିଶା ଡଟ କମ) ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଫିସର ତଥା କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବ ଡଃ.ହୃଷିକେଶ ପଂଡା ଗୁରୁବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।
ସାଧୁତା ଓ ସଚ୍ଚୋଟତା ପାଇଁ ଜଣାଶୁଣା ୧୯୭୯ ବ୍ୟାଚର ଓଡିଶା କ୍ୟାଡରର ଏହି ଆଇଏ ଏସ ଟପ୍ପର ନିଜ କାର୍ଯ୍ୟକାଳ ମଧ୍ୟରେ ବ୍ୟାପକ ଘାତ ପ୍ରତିଘାତର ସାମ୍ନା କରିଥିଲେ । ରାଜନୈତିକ ଚାପକୁ ଭ୍ରୂକ୍ଷେପ କରିନଥିବାରୁ ରାଜ୍ୟରେ ତାଙ୍କୁ ବାରମ୍ବାର ବଦଳି କରା ଯାଇଥିଲା ।
କୌଣସି ପଦବୀରେ ସେ ବେଶିଦିନ ରହି ପାରିନଥିଲେ । ଏପରିକି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିବାର ଅଢେଇମାସ ଭିତରେ ୨୦୦୭ରେ ତାଙ୍କର ବଦଳି ହୋଇ ଯାଇଥିଲା ।
କେନ୍ଦ୍ରକୁ ପରବର୍ତୀ ସମୟରେ ଡେପୁଟେସନ ରେ ଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସଂଯୁକ୍ତ ସଚିବ ଓ ପରେ ଆଦିବାସୀ ବ୍ୟାପାର ବିଭାଗର ସଚିବ ଭାବେ ସେ କାର୍ଯ୍ୟ କରିଥିଲେ । ନିଜର ଚାକିରି ଜୀବନର ଅନୁଭୂତିକୁ ନେଇ ସେ ବହୁତ ଉପନ୍ୟାସ ବହି ଲେଖିଛନ୍ତି ।
ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡିଶା ସାହିତ୍ୟ ଏକାଡେମୀ, ସାରଳା ଆଦି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ସେ ଶୁକ୍ରବାର ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରି ଭଦ୍ରକ ଜିଲ୍ଲାରେ ଥିବା ନିଜ ଗାଁ କାଳିଦାସପୁର ରେ କିଛି ମାସ ସମୟ ବିତାଇବେ ବୋଲି ଓଡିଶା ଡଟକମକୁ କହିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଆଦିବାସୀ ବ୍ୟାପାର ବିଭାଗରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଓ ବିଭାଗର ମନ୍ତ୍ରୀ ଜୁଏଲ ଓରାମ, ଅଧିକାରୀ ଓ କର୍ମଚାରୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କର ଅବସର ଜୀବନ ସୁଖମୟ କାମନା କରିଥିଲେ ।
ଓଡିଶା ଡଟ କମ
Leave a Reply