Site icon Odisha.com

ମଧୁ ଜୟନ୍ତୀ ଅବସରରେ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମ ବିବାହ

ଭୁବନେଶ୍ୱର ଏପ୍ରିଲ ୩୦ (ଓଡିଶା ଡଟ କମ) ମୁକ୍ତଚିନ୍ତନବାଦୀ “ଫ୍ରିଥଟ ପାର୍ଟି ଅଫ୍ ଇଣ୍ଡିଆ” ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ସ୍ରଷ୍ଟା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୬୭ତମ ଜନ୍ମଜୟନ୍ତୀ ଉତ୍ସବ ପାଳନ ଅବସରରେ ୪ଟି ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମ ବିବାହ ଅନୁଷ୍ଠିତ ହୋଇଛି ।

ଏ ଉପଲକ୍ଷେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଆଙ୍କ ସଫଳ ଭୂମିକା ନିମନ୍ତେ ପ୍ରଶାସନ ଓ ଶିକ୍ଷାଦାନର ଭାଷା ଇଂରାଜୀ ରଖାଯାଉ ଶୀର୍ଷକ ଆଲୋଚନାଚକ୍ର ଦଳର କୋପରନିକସ ହଲରେ ଅନୁଷ୍ଠିତ ହୋଇଯାଇଛି ।

ପାର୍ଟି ଅଧକ୍ଷ୍ୟ ଡ଼ଃ ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଭାଗନେଇ ଦଳର ସଧାରଣ ସମ୍ପାଦକ ବି. ରାମଚନ୍ଦ୍ର ସି ଏସ ଟି ଭୋଲଟେୟାର ଦର୍ଶାଇଥିଲେ ଯେ ଶିକ୍ଷାଦାନ ଓ ପ୍ରଶାସନର ଭାଷା ଇଂରାଜୀ ବଦଳରେ ଓଡ଼ିଆ ରଖାଗଲେ ଓଡ଼ିଶା ମାଟିରେ ମଧୁସୂଦନ ଦାସଙ୍କ ଭଳି ପ୍ରତିଭା ଆଉ ସୃଷ୍ଟି ହୋଇ ପାରିବେ ନାହିଁ ।

ଓଡ଼ିଶାର କୌଣସି ଯୁବକଯୁବତୀ ସର୍ଭଭାରତୀୟ କିମ୍ବା ଆନ୍ତର୍ଜାତିକ ସ୍ତରୀୟ ଦାମୀ କର୍ମକ୍ଷେତ୍ରରେ ନିଯୁକ୍ତି ଲାଭ କରିପାରିବେ ନାହିଁ । ସେ ଆହୁରି ଦର୍ଶାଇଥିଲେ ଯେ ଇଂରାଜୀ ଭାଷା ଆଧୁନିକ ଜ୍ଞାନ-ଭଣ୍ଡାରର ଭାଷା । ଏହି ବିଶ୍ୱ ଭାଷା ମାଧ୍ୟମରେ ବିଶ୍ୱବାଣିଜ୍ୟ, ବିଶ୍ୱ କୂଟନୀତି, ଉଚ୍ଚତର ଗବେଷଣା ଆଦି ଚାଲିଛି ।

ଓଡ଼ିଆ ଭାଷାକୁ ବିଶ୍ୱଭାଷା ଇଂରାଜୀର ସମୀପବର୍ତ୍ତୀ କରିବା ପାଇଁ ଆମର ଚିନ୍ତା କରିବାର ବେଳ ଆସିଛି । ଓଡ଼ିଆ ଭାଷାର ଲିପି ଓ ନୁ୍ୟମେରାଲସ୍କୁ ହଟାଇ ତ ସ୍ଥାନରେ ବିଶ୍ୱସ୍ତରରେ ଆଦୃତ ରୋମାନ ଲିପି ଓ ଆରବିକ୍ ନ୍ୟୁମେରାଲସକୁ ଆଦରି ନେଲେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାର୍ଥୀ ବିଶେଷ ଉପକୃତ ହେବେ ।

ଅକ୍ଷର ଗୋଲ କରିବାରେ ଯେଉଁ ସମୟ ଶକ୍ତି ଅର୍ଥ ବରବାଦ ହେଉଛି, ଶବ୍ଦଟିଏ ଲେଖିଲା ବେଳେ ଯେଉଁ ବନାନ ଅଶୁଦ୍ଧି ଘଟୁଛି ତାହା ମଧ୍ୟ ଦୂରୀଭୁତ ହେବ । ସ୍ଥାନର ନାମ, ବ୍ୟକ୍ତିଙ୍କ ନାମ, ଖେଳର ନାମ, ଔଷଧର ନାମ ଯନ୍ତ୍ରପାତିର ନାମ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଶବ୍ଦାବଳୀ ଓଡ଼ିଆ ଭାଷାରେ ରୋମାନ୍ ଲିପିରେ ନିର୍ଭୁଲ ଭାବେ ଲେଖି ହେବ ।

ଏଥିପ୍ରତି ସମସ୍ତ ଦୂରଦୃଷ୍ଟିସଂପନ୍ନ ଓ ଉଦାରବାଦୀ ବ୍ୟକ୍ତିମାନେ ଯଥୋଚିତ ଧ୍ୟାନ ଦେବା ପାଇଁ ସେ ତାଙ୍କ ବକ୍ତବ୍ୟରେ ନିବେଦନ କରିଥିଲେ । ସଭାପତି ଡ଼ଃ ବିଜାୟାନନ୍ଦ କର କହିଥିଲେ ଯେ, ଇଂରାଜୀ ଭାଷାକୁ ଚିନ୍ତାଶୀଳ ବ୍ୟକ୍ତିମାନେ ଏକ ବିଦେଶୀ ଭାଷାରୂପେ ଆଉ ଗଣନା କରୁନାହାନ୍ତି ।

ଜାତୀୟତା ନିର୍ବିଶେଷରେ ପ୍ରତ୍ୟେକ ଯୁବକଯୁବତୀ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ପାଇଁ ବେଶ ତତ୍ପର ଅଛନ୍ତି । ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ବାରିଷ୍ଟର ମଧୁସୂଦନ ଦାସ ଯାହା କରିଯାଇଛନ୍ତି ତାହାର ପଶ୍ଚାତରେ ରହିଥିଲା ତାଙ୍କର ଇଂରାଜୀ ଭାଷାରେ ଅଦ୍ୱିତୀୟ ଦକ୍ଷତା । ଓଡ଼ିଶାର କୌଣସି ବ୍ୟକ୍ତି ଏହି କଥା ଭୁଲିଯିବା ଉଚିତ ହେବନାହିଁ ବୋଲି ଡ଼ଃ କର ସୂଚାଇଥିଲେ ।

ସଭାସ୍ଥଳୀରେ ଜଗତସିଂହପୁର ଜିଲ୍ଲାର ସୁଧୀର କୁମାର ସାହୁ ଓ କଟକ ଜିଲ୍ଲାର ସୌଦାମିନୀ ସାହୁ, ଗଞ୍ଜାମ ଜିଲ୍ଲାର ଟି. ଶ୍ରୀନିବାସ ଓ ଭୁବନେଶ୍ୱରର ପୂଜା ବେହେରା, କଟକ କିଶୋର ନଗର ଅଞ୍ଚଳର ଲିଲୁପ୍ତ ଭୋଇ ଓ ଖୋର୍ଦ୍ଧା ଜିଲ୍ଲା ପାନନଗରର କଳ୍ପନା ନାୟକ, ନୟାଗଡ଼ ଜିଲ୍ଲାର ମୁକେଶ ନାୟକ ଓ ସେହି ଅଞ୍ଚଳର ସ୍ମିତା ପାତ୍ର ଫୁଲମାଳ ଆଦାନପ୍ରଦାନରେ ଜାତି-ଜାତକ-ଯୌତୁକଶୂନ୍ୟ ପ୍ରେମ ବିବାହ କରିଛନ୍ତି ।

ଦେଶ ତଥା ବିଶ୍ୱର ହିତ ପାଇଁ ଉକ୍ତ ନବଦଂପତିମାନେ ଏକ-ସନ୍ତାନ ପରିବାର ନୀତି ଅନୁସରଣ କରିବେ ବୋଲି ଶପଥ ନେଇଛନ୍ତି । ଜୟନ୍ତୀ ଉତ୍ସବରେ ସାମ୍ବାଦିକ ମନୋହର ପଣ୍ଡା, ସମାଜସେବୀ ବଦ୍ରିନାରାୟଣ, ଆମଫୋଇ କୋଷାଧ୍ୟକ୍ଷା ସ୍ୱପ୍ନା ବିଜୟିନୀ, ଦଳର ପଦାଧିକାରୀ ପ୍ରସନ୍ନ କୁମାର ବେହେରା ଓ ବିଜୟ ସ୍ୱାଇଁ ପ୍ରମୁଖ ଭାଗ ନେବା ସହ ନବଦଂପତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶା ଡଟ କମ

Exit mobile version