Site icon Odisha.com

ଏନ୍ ଆର୍ ମହାନ୍ତିଙ୍କ ନାଲକୋ ସି.ଏମ୍.ଡି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଓଡିଶା ଡଟ କମ ସଂବାଦଦାତା

ଭୁବନେଶ୍ୱର, ଏପ୍ରିଲ ୧ (ଓଡିଶା ଡଟ କମ) ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିଃ (ନାଲକୋ)ର ପ୍ରକଳ୍ପ ଓ ବୈଷୟିକ ବିଭାଗ ନିର୍ଦ୍ଦେଶକ ନିହାର ରଞ୍ଜନ ମହାନ୍ତି ଶୁକ୍ରବାର କମ୍ପାନୀର ନୂତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅଂଶୁମାନ ଦାସ ଗୁରୁବାର ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ଶ୍ରୀ ମହାନ୍ତି ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୮୦ ମସିହାରେ ଶ୍ରୀ ମହାନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ଗ୍ରାଜୁଏଟ ଭାବେ ଏନ୍ ଆଇ ଟି ରାଉରକେଲାରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବାପରେ ତାଙ୍କର ଚାକିରୀ ଜୀବନ ପ୍ରଥମେ ଲାର୍ସେନ୍ ଆଣ୍ଡ ଟୁ୍ୟବ୍ରୋ କମ୍ପାନୀରୁ ଆରମ୍ଭ କରିଥିଲେ ।

ଡିସେମ୍ବର, ୧୯୮୬ ରେ ନାଲକୋରେ ଯୋଗଦେବା ପୂର୍ବରୁ ସେ ବାଲକୋ ରେ ମଧ୍ୟ କାର୍ଯ୍ୟ କରିଥିଲେ । ନାଲକୋର ଅନୁଗୁଳସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟ ଏବଂ ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।

କମ୍ପାନୀର ନୂତନ ଯୋଜନା ଚୟନ ଓ କାର୍ଯ୍ୟକାରୀ କରିବାରେ ଶ୍ରୀ ମହାନ୍ତିଙ୍କର ବହୁ ଅବଦାନ ରହିଛି । ସେଥି ମଧ୍ୟରେ ଆନ୍ଧ୍ର ପ୍ରଦେଶର ଗଣ୍ଡିକୋଟା ଓ ରାଜସ୍ଥାନର ଜୟସାଲ୍ମେର୍ ଠାରେ ପବନଚାଳିତ ବିଦ୍ୟୁତ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟ ଅନ୍ୟତମ ।

ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ତାଙ୍କର ୩୩ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ରହିଛି । ଶ୍ରୀ ମହାନ୍ତି ତାଙ୍କର କୃତିତ୍ୱ ପାଇଁ ବହୁ ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ଓଡିଶା ଡଟ କମ

Exit mobile version