Site icon Odisha.com

ତଥ୍ୟ ନ ଦେବାରୁ ନାଲକୋକୁ ସୂଚନା କମିଶନଙ୍କ ଭର୍ତ୍ସନା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) ବିଭିନ୍ନ ଆଳ ଦେଖାଇ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ନୀତି ସମ୍ପର୍କିତ ତଥ୍ୟ ଦେବାକୁ ମନା କରିବାରୁ ଜାତୀୟ ସୂଚନା କମିଶନ ଭୂବନେଶ୍ଵରରେ ଥିବା ନେସନଲ ଆଲୁମିନିଅମ  କମ୍ପାନୀ ବା (ନାଲକୋ) କତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଛନ୍ତି ।

କମ୍ପାନୀର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁର୍ନୀତି ସମ୍ପର୍କିତ କେତେ ମାମଲା ରୁଜୁ ହୋଇଛି ତାହା ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ନାଲକୋର ମୁଖ୍ୟ ଭିଜିଲେନସ ଅଫିସରଙ୍କୁ ସୂଚନା ଅଧିକାର ଆଇନ ବଳରେ ତିନି ଅକ୍ଟୋବର ୨୦୧୩ରେ ତଥ୍ୟ ମାଗିଥିଲେ ।

ନାଲକୋର ସମ୍ପୃକ୍ତ ଅଧିକାରୀ ଏହି ତଥ୍ୟ ଦେବାପାଇଁ ମନା କରିଦେଇଥିଲେ । ସେ ଦର୍ଶାଇଥିଲେ ଯେ ଏଭଳି କୌଣସି ରେକର୍ଡ ରଖା ଯାଉ ନାହିଁ । ଏଭଳି ତଥ୍ୟ ସଂଗ୍ରହ ପାଇଁ କମ୍ପାନୀକୁ ନିଜର ଆଭ୍ୟନ୍ତରୀଣ ସମ୍ବଳର ବିନିଯୋଗ କରିବାକୁ ପଡିବ ବୋଲି ସେ ନିଜ ଉତ୍ତରରେ କହିଥିଲେ ।

ଅଖଣ୍ଡ ଏହା ବିରୁଦ୍ଧରେ ପୁନଃ ଆବେଦନ କରି ନିରାଶ ହେବା ପରେ ସୂଚନା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ସୂଚନା କମିଶନ ନାଲକୋ ରଖୁଥିବା ରେକର୍ଡ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ମୁଖ୍ୟ ଭିଜିଲେନସ ଅଫିସର ଜଣାଇଥିଲେ ଯେ ଏକ ରେଜିଷ୍ଟାରରେ କ୍ରମାନ୍ଵୟ ଭାବେ ଅଭିଯୋଗ ଗୁଡିକ ଲିପିବଦ୍ଧ କରାଯାଉଛି ଓ ଅଭିଯୋଗର ସାରାଂଶ ଲେଖା ଯାଉଛି ।

ଏହାର ଉତ୍ତରରେ କମିଶନ ପଚାରିଥିଲେ ଯେ ପ୍ରତିମାସ ଏଭଳି କେତେ ଅଭିଯୋଗ ଲିପିବଦ୍ଧ କରାଯାଉଛି । ଅଧିକାରୀ ଏହାର ଉତ୍ତରରେ ଅଭିଯୋଗର ସଂଖ୍ୟା ଆଠ ରୁ ଦଶ ବୋଲି କହିଥିଲେ ।

ସୂଚନା ଅଧିକାର ଆଇନର ଧାରା ୭ (୯) ଏହି କ୍ଷେତ୍ରରେ ଲାଗୁ ହେଉନାହିଁ ଦର୍ଶାଇ କମିଶନ ମାମଲାର ବିଚାର କରି ନାଲକୋର ସମ୍ପୃକ୍ତ କତ୍ତୃପକ୍ଷଙ୍କୁ ଦୁଇ ସପ୍ତାହ ମଧ୍ୟରେ ମଗା ଯାଇଥିବା ତଥ୍ୟ ଶ୍ରୀ ଅଖଣ୍ଡଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version