Site icon Odisha.com

ରାଜ୍ୟରେ ସର୍ବନିମ୍ନ ମଜୁରି ଦୁଇଶହ ଟଙ୍କାକୁ ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମେ ୧ (ଓଡିଶା ଡଟ କମ) ଶ୍ରମିକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ୨୦୦ ଟଙ୍କାକୁ ଶୁକ୍ରବାର ବୃଦ୍ଧି କରିଛନ୍ତି ।

ଜୟଦେବ ଭବନରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତି ରାଜ୍ୟସ୍ତରୀୟ ମଇ ଦିବସ ସମାରୋହକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି।

ତଦନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୨୪୦ ଟଙ୍କାକୁ ଓ ଉଚ୍ଚ ଦକ୍ଷତା ସମ୍ପନ୍ନ କୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ ଟଙ୍କାକୁ ବୃଦ୍ଧି କରାଯାଇଛି,ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶ୍ରମିକ ମାନଙ୍କୁ ବିକାଶର ସାରଥି ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଦେଶ ଗଠନରେ ସେମାନଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ପଟ୍ଟନାୟକ ସମସ୍ତଙ୍କ ସହଯୋଗରେ ଶ୍ରମିକମାନଙ୍କ ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ଆଶାପୋଷଣ କରିଛନ୍ତି।

ରାଜ୍ୟରେ ଶିଶୁଶ୍ରମିକ ପ୍ରଥାର ବିଲୋପ ତଥା ଶ୍ରମିକମାନଙ୍କ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍ଟେଟ୍ ଆକ୍ସନ ପ୍ଳାନ ଯେପରି ସବୁସ୍ତରରେ ସମନ୍ନୟ ରକ୍ଷାକରି ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ପୁନଶ୍ଚ ଆରୋପ କରିଥିଲେ।

ରାଜ୍ୟ ଶ୍ରମ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, କୋଠାବାଡ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ ସୁବାସ ସିଂ, ବିଭାଗୀୟ ସଚିବ ଜି ଶ୍ରୀନିବାସ ପ୍ରମୁଖ ଉଦବୋଧନ ଦେଇଥିଲେ।

ଓଡିଶା ଡଟ କମ

Exit mobile version