Site icon Odisha.com

ଡେଲାଙ୍ଗ ଟ୍ରେନ୍ ପୋଡି ପରେ ପୁଲିସ୍ ବାଡି, ଜେଲ୍ ବେଡି

ଶ୍ରୀ ଅଖଣ୍ଡଙ୍କ ଠାରୁ

ଗୁଆଳିପଡା (ପୁରୀ) ମଇ ୨

ଟ୍ରେନରେ ଖସିପଡି ଜଣେ ଯୁବକର ହୋଇଥିବା ମୃତ୍ୟୁକୁ ବିରୋଧ କରି ପୁରୀ ଜିଲ୍ଲାର ଡେଲାଙ୍ଗ ରେଳ ଷ୍ଟେସନରେ ଏପ୍ରିଲ୍ ୧୭ରେ ପୁରୀ -ପାରାଦୀପ ଏକ୍ସପ୍ରେସ ଟ୍ରେନର କେତେକ ବଗିରେ ନିଆଁ ଲଗାଇବା ଓ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ମାମଲାରେ ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ସ୍ଥାନୀୟ ଗୁଆଳିପଡା ଗାଁର ଅଧିବାସୀ ଅଭିଯୋଗ କରିଛନ୍ତି ।

 ସ୍ଥାନୀୟ ରେଳବାଇ ପୁଲିସ ଡିଏସପି ଦେବେନ୍ଦ୍ର ଦାସ ଓଡିଶା ଡଟ କମକୁ କହିଛନ୍ତି ଘଟଣାରେ ସମୁଦାୟ ୪୮ ଜଣ ଗିରଫ ହୋଇଛନ୍ତି ଓ ଆହୁରି ୩୦-୪୦ ଜଣଙ୍କୁ ଖୋଜା ଚାଲିଛି । ଯେଉଁ ମାନଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣ ଅଛି ସେମାନଙ୍କୁ ହିଁ ଗିରଫ କରାଯାଇଛି ।

ତେବେ ଗ୍ରାମବାସୀ ପୁଲିସର ଏହି ଦାବୀକୁ ଖଣ୍ଡନ କରିଛନ୍ତି। ଗାଁକୁ ଘଟଣାର ସାତ ଦିନପରେ ଅନୁଧ୍ୟାନ ପାଇଁ ଯାଇଥିବା ଏହି ଲେଖକ ଓ ଅନ୍ୟ କିଛି ମାନବାଧିକାର କର୍ମୀଙ୍କୁ ସେମାନେ ତାଙ୍କ ବ୍ୟଥା ଶୁଣାଇଛନ୍ତି ।

ରେଳ ଷ୍ଟେସନରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗୁଆଳିପଡା ଗାଁ ରେ ପରିବେଶ ଖାଁ ଖାଁ ଲାଗୁଥିଲା । କେତେକ ବୁଢା ଲୋକଙ୍କୁ ଛାଡି ଦେଲେ ପୁରୁଷ ଲୋକଙ୍କ ଦେଖା ମିଳି ନଥିଲା ।

ଅନେକ ତ ଆମକୁ ଦେଖି କବାଟ ଦେଇ ଘରେ ଭିତରେ ରହିବାକୁ ଶ୍ରେୟ ମନେ କରିଥିଲେ । ଗାଁର ଶେଷ ମୁଣ୍ଡକୁ ଆମ ଟିମ୍ ଗଲା ବେଳେ ଦାଣ୍ଡରେ ବସିଥିବା କିଛି ଲୋକ ଦୈାଡି ପଳାଇ ଘରେ ଭିତରେ ପଶି ଯାଇଥିଲା ।  ଅନେକ ଭାବୁଥିଲେ ପୁଲିସ୍ ସାଧା ପୋଷାକରେ ଲୋକଙ୍କୁ ଧରିବାକୁ ଆସୁଛି ! ପୁଲିସ୍ ଭୟରେ ସେମାନେ ଏତେ ଡରି ଯାଇଥିଲେ ଯେ କାହାକୁ ବିଶ୍ୱାସକୁ ନେଇ ପାରୁ ନଥିଲେ ।

ତେବେ ଅନେକ ମହିଳା ଆମ ପରିଚୟ ପାଇବା ପରେ ଆମ ସହ କଥା ହେବାକୁ ଆଗେଇ ଆସିଥିଲେ । ମନରେ ଥିଲା ଦୁଖ ଓ ପୁଲିସ୍ ଉପରେ କ୍ରୋଧ । ଗାଁର ଝୁନା ଛାଟୋଇଙ୍କ ଆଖିର ଲୁହ ସରୁନି । ତାଙ୍କୁ ଏମିତି ଏକ ଧକ୍କା ଲାଗିଛି ଯେ ସେ ଏଇ ରାଜ୍ୟରେ କିଛି ନ୍ୟାୟ ବିଚାର ଅଛି କି ବୋଲି ବାରମ୍ବାର ପ୍ରଶ୍ନ ପଚାରୁଥାନ୍ତି ।

ତାଙ୍କ ସ୍ୱାମୀ ପ୍ରକାଶ ଟେଂଟ୍ ହାଉସ୍ କାମ କରି ଗୁଜରାଣ କରନ୍ତି । କାହା ସଙ୍ଗେ ପାଟିତୁଣ୍ଡ କରିବା ମଧ୍ୟ କେହି ଜାଣିନାହାନ୍ତି । ଟ୍ରେନ୍ ପୋଡି ଘଟଣା ଦିନ ମଧ୍ୟ ଗାଁର ଜଣଙ୍କ ବିବାହ ଉତ୍ସବପାଇଁ ଟେଂଟ୍ ବାନ୍ଧୁଥିଲେ । ପୁଲିସ୍ ରାତିରେ ଗାଁରେ ପଂହଚିବା ସମୟରେ ସେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଟେଂଟ୍ କାମ କରୁଥିଲେ । ପୁଲିସ୍ ତାଙ୍କୁ ଧରିଲା । ଏହି ସମୟରେ ଗାଁରେ ହୋ ହାଲ୍ଲା କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା ।

ଝୁନା ଦାଣ୍ଡକୁ ବାହାରି ଦେଖିଲେ ପୁଲିସ୍ ତାଙ୍କ ସ୍ୱାମୀକୁ ଘୋଷାରି ନେଉଛି । ସେ ଏହାର ବିରୋଧ କରିଥିଲେ । କହିଥିଲେ – “ଦୋଷୀଙ୍କୁ ଧର, ମୋ ସ୍ୱାମୀ ଘଟଣ ଦିନ କେଉଁଠି ଥିଲା ସମସ୍ତଙ୍କୁ ପଚାର । ଯଦି ଦୋଷୀ ତାକୁ ଥାନାକୁ ନିଅ ।” ପୁଲିସ୍ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । କିନ୍ତୁ ତାଙ୍କୁ ମାଡ ମାରି ପୁଲିସ୍ ତାଙ୍କ ସ୍ୱାମୀଙ୍କୁ ନେଇ ଯାଇଥିଲା ।

ଜଣେ ନିରୀହ ଦିନ ମଜୁରିଆର ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ଧରି ଝୁନା ଆଉଟୁ ପାଉଟୁ  ହେଉଛନ୍ତି । ସେ ଆମକୁ ଦେଖି କହିଥିଲେ – ବିନା ଦୋଷରେ ଆମ ସ୍ୱାମୀଙ୍କୁ ତ ପୁଲିସ୍ ନେଲା । ପୁଲିସ୍ ଆମକୁ ବାଡେଇଲା । ଏହାର ବିଚାର କେଉଁଠି ହେବ ? ଆମେ କାହା ପାଖକୁ ଯିବୁ ? ଆମକୁ କିଏ ଖାଇବାକୁ ଦେବ ?

ପୁଲିସ୍ ଏମିତି ଆଖିବୁଜା ଭାବେ ଯାହାକୁ ପାଇଛି ତାକୁ ଧରି ନେଇଛି । ଏମିତିକି ଗୋଟିଏ ଗୋଟିଏ ଘରୁ ସମସ୍ତ ପୁରୁଷ ସଦସ୍ୟଙ୍କୁ ପୁଲିସ୍ ଟେକି ନେଇଛି । କେବଳ ସେତିକି ନୁହେଁ, ଗାଁର ଦୁଇ ଜଣ ନାବାଳକଙ୍କୁ ମଧ୍ୟ ପୁଲିସ୍ ଧରିଛି ଓ ଜେଲ୍ ପଠାଇଥିବା ଗ୍ରାମବାସୀ କହିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ ଜଣେ ଶିକ୍ଷକ ହିଂସାକାଣ୍ଡ ଦିନ ସ୍କୁଲରେ ଥିଲେ । କିନ୍ତୁ ପୁଲିସ୍ ଚଢାଉ ବେଳେ ଧରାପଡିବାରୁ ସେ ଏବେ ଜେଲ ହାଜତରେ ।

ପୁଲିସ୍ ଯେଉଁ ରାତି ଅଧିଆ ଚଢାଉ କଲା । ପ୍ରାୟ ସମସ୍ତଙ୍କ ଘରକୁ ଜୋର ଜବରଦସ୍ତ ପଶିଛି । ଆଉ ଯେଉଁମାନେ କବାଟ ଖୋଲି ନାହାନ୍ତି, ସେଠାରେ କବାଟ ଭାଙ୍ଗି ପଶିଛି ।

ଗାଁର ସୁକାନ୍ତି ଦାସ କହିଲେ ସେ ଏହି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି । ଦାଣ୍ଡପଟ କବାଟଟି ଭାଙ୍ଗି ୧୦-୧୫ ପୁଲିସ୍ ତାଙ୍କ ଘର ଭିତରକୁ ପଶିଥିଲେ । ସୁକାନ୍ତି ଓ ତାଙ୍କ ସ୍ୱାମୀ ଉଠି ପଡିଥିଲେ । ୧୮/୧୯ ବର୍ଷର ଦୁଇ ପୁଅ ସବୁଦିନ ଭୁବନେଶ୍ୱରରେ କାମ କରିବାକୁ ଯାନ୍ତି । ଫେରୁ ଫେରୁ ରାତି ୧୦ଟା । ତେଣୁ ସେମାନେ ନିଘୋଡ ନିଦରେ ଶୋଇ ପଡିଥିଲେ ।

ପୁଲିସ୍ ତାଙ୍କୁ ନିଦରୁ ଉଠାଇ ଭ୍ୟାନକୁ ଘୋଷାଡି ନେଲା । ସୁକାନ୍ତି ଏହାକୁ ବିରୋଧ କରିଥିଲେ । “ଆମେ ନିର୍ଦୋଷ । ପୁଅମାନେ କାମ କଲେ ଆମ ଘର ଚଳେ । ତାଙ୍କୁ ଛାଡି ଦିଅ ।” ପୁଲିସ୍ ତାଙ୍କୁ ଧକ୍କା ମାରିଥିଲା । ସେ  ତଳେ ପଡି ଯାଇଥିଲେ । ପୁଲିସ୍ ଲାଠି ମାଡରେ ତାଙ୍କ ସ୍ୱାମୀ କେଦାରଙ୍କ ହାତ ଫୁଲି ଯାଇଛି । ଆମେ ସୁକାନ୍ତିଙ୍କ ସହ କଥା ହେବା ସମୟରେ ସେ ଡାକ୍ତରଖାନାକୁ ଯାଇଥିଲେ ।

ସୁକାନ୍ତି ଏବେ ତାଙ୍କ ଭଙ୍ଗା କବାଟ ପାଖେ ଠିଆ ହୋଇ ପୁଅମାନଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି । ଚାରି ଦିନ ହେଲା ତାଙ୍କ ଘରେ ଚୁଳି ଜଳୁନି । ସୁକାନ୍ତିଙ୍କ ପରି ଅନେକଙ୍କ ମହିଳାଙ୍କ ଅବସ୍ଥା । କାହାର ପୁଅ ଯାଇଛି ତ, ଆଉ କାହାର ସ୍ୱାମୀ ।

ପୁଲିସ କହିଛି ଘଟଣା ଦିନ ସମ୍ପୃକ୍ତ ଗାଁର କିଛି ଯାତ୍ରୀ ଉକ୍ତ ଟ୍ରେନରେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ କେହି ଚେନ ଟାଣି ଟ୍ରେନ ଅଟକାଇଥିଲେ । ତରବରରେ ଉତୁରିବା ସମୟରେ ଖସିପଡି ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଏହା ପରେ ଅନ୍ୟ ମାନେ ରାଗିଯାଇଥିଲେ ଓ ଗାଁରୁ ଯାଇଥିବା ଲୋକଙ୍କ ସହ ମିଶି ତୁମୂଳକାଣ୍ଡ କରିଥିଲେ ।

ପୁଲିସ ଓ ଗ୍ରାମବାସୀ ପରସ୍ପର ବିରୁଦ୍ଧରେ ଦୋଷାରପ କରୁଥିବା ବେଳେ, ସରକାର ଏହାର ନିରପେକ୍ଷ ତଦନ୍ତ କରି ଯଦି କେହି ନିର୍ଦୋଷ ଲୋକ ଗିରଫ ହୋଇଥାନ୍ତି ତାଙ୍କୁ ତୁରନ୍ତ ମୁକୁଳାଇବାର ଉଦ୍ୟମ ହେବା ସହ ତାଙ୍କୁ  ଆବଶ୍ୟକୀୟ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ମାନବାଧୀକାର କର୍ମୀ ମାନେ କହିଛନ୍ତି ।

ଲେଖକ ଜଣେ ସାମ୍ବାଦିକ ତଥା ମାନବାଧିକାର କର୍ମୀ
ଫୋନ୍ – ୯୯୩୮୮୭୧୯୮୯

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

Exit mobile version