Site icon Odisha.com

ଇଚ୍ଛାଧୀନ କୋଟା ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନସକୁ ଆଦେଶ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୩ (ଓଡିଶା ଡଟ କମ) ଇଚ୍ଛାଧୀନ କୋଟାରେ କଟକ ଓ ଭୁବନେଶ୍ଵରରେ ଏକାଧିକ ଜମି ଓ ଘର ପାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ ସରକାର ରାଜ୍ୟର ଭିଜିଲାନସ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଟାସ୍କଫୋର୍ସ ସରକାରଙ୍କୁ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଉନ୍ନୟନ କର୍ତ୍ତ୍ବପକ୍ଷ, ଭୁବନେଶ୍ଵର ଉନ୍ନୟନ କତ୍ତୃପକ୍ଷ, ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡରୁ ବହୁ ପ୍ରଭାବଶାଳୀ ଲୋକ ଏକାଧିକ ଘର ଓ ଜମି ଓ ଘର ନେଇଥିବା ସିଏଜି ତାର ରିପୋର୍ଟରେ ଦର୍ଶାଇବା ପରେ ସରକାର ୧୯୯୫ ଜାନୁୟାରୀ ପହିଲାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସବୁ ଘର ଓ ଜମି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏହାର ଯାଞ୍ଚ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ।

ଟାସ୍କଫୋର୍ସ ରିପୋର୍ଟ ଆଧାରରେ ସରକାର ଏହି ମାମଲାର ଭିଜିଲାନସ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋହର ମାରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଏ ସମ୍ପର୍କରେ ବିଜ୍ଞାପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶା ଡଟ କମ

Exit mobile version