Site icon Odisha.com

ନବକଳେବର ଊପରେ ନିର୍ମିତ ପ୍ରାମାଣିକ ଚଳଚିତ୍ରର ଲୋକାର୍ପଣ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,ମଇ ୩ (ଓଡିଶା ଡଟ କମ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ଊପରେ ଆଧାରିତ ପ୍ରାମାଣିକ ଚଳଚିତ୍ର “ଦେବତା ହୋଇଲେ ମରଇ”ର ଏଠାରେ ରବିବାର ଲୋକାର୍ପଣ ହୋଇଯାଇଛି ।

ଏ ସମ୍ପର୍କିତ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଫେୟାର ପ୍ରାଙ୍ଗଣରେ ଏହି ଚଳଚିତ୍ରର ଲୋକାର୍ପଣ କରିଥିଲେ ।

ନବକଳେବର ସହ ଜଡିତ ବଭିନ୍ନ ତଥ୍ୟ ତଥା ଗବେଷଣାକୁ ପାଥେୟ କରି ପ୍ରସ୍ତୁତ ଏହି ଚଳଚିତ୍ର ଜଗନ୍ନାଥଙ୍କ ଜନ୍ମମୃତ୍ୟୁର ଭାବପ୍ରବଣ ଯାତ୍ରାକୁ ସରଳ, ସାବଲୀଳ ଢଙ୍ଗରେ ଉପସ୍ଥାପନା କରିବାକୁ ପ୍ରୟାସ କରିଛି ।

ଚଳଚିତ୍ରର ଉପସ୍ଥାପନା ଶୈଳୀ ବିଶ୍ଲେଷଣାତ୍ମକ, ଗବେଷଣାମୂଳକ, ସୃଜନ ଓ ସମ୍ବେଦନଶୀଳ ଯାହା ଉଭୟ ସାଧାରଣ ଦର୍ଶକ ଓ ବୁଦ୍ଧିଜୀବିମାନଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ଲାଇଟ ହାଉସ୍ ପକ୍ଷରୁ କୁହାଯାଇଛି ।

ସୁପରିଚିତ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିବୁଧରଞ୍ଜନଙ୍କ ଦ୍ୱାରା ଲିଖିତ ଏହି ଚଳଚିତ୍ର ସୁନ୍ଦର ସଂପାଦନା ଓ ଉନ୍ନତମାନର ଆନିମେସନ କାର୍ଯ୍ୟ ସହ ଏକ ଜାତୀୟ ସ୍ତରର ପ୍ରୟାସ ।

ସଂଜୟ କାନୁନଗୋ ଓ ଗୁରୁଜୀ ଶ୍ୱେତଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହି ଚଳଚିତ୍ର ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ଭାଗରେ ନିର୍ମାଣ କରାଯାଇଛି ।

ଇଂରାଜୀ ଭାଷାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଇଂରାଜୀ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସହାୟତାରେ ପ୍ରସ୍ତୁତ ଏହି ଚଳଚିତ୍ରର ଦ୍ୱିତୀୟ ଭାଗଟି ଜୁଲାଇ ମାସରେ ରଥଯାତ୍ରା ଦିନ ଲୋକାର୍ପଣ ହେବାର ଯୋଜନା ରହିଛି ।

ଓଡିଶା ଡଟ କମ

Exit mobile version