Site icon Odisha.com

ନବକଳେବର ପୂର୍ବରୁ ପୁରୀରେ ସବୁ ହୋଟେଲରେ ସିସି ଟିଭି

ଓଡିଶା ଡଟକମ ସଂବାଦଦାତା

ପୁରୀ, ମଇ ୩ (ଓଡିଶା ଡଟ କମ) ଚଳିତ ବର୍ଷ ୧୮ ଜୁଲାଇ ରେ ହେବାକୁ ଥିବା ନବ କଳେବର ଯାତ୍ରା ପୂର୍ବରୁ ପୁରୀର ସବୁ ହୋଟେଲରେ ନିଜ ଖର୍ଛରେ କ୍ଲୋଜସର୍କିଟ କ୍ୟାମେରା ଲଗାଇବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ପର୍ଯ୍ୟଟନ ବିଭାଗ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଦେଇଥିବା ଏହି ନିର୍ଦ୍ଦେଶ ଅନୁସାରେ ହୋଟେଲ ମାଲିକ ନିଜ ଖର୍ଛରେ ପର୍ଯ୍ୟଟକଙ୍କ ବ୍ୟାଗ ଯାଞ୍ଚ ପାଇଁ ସ୍କାନର ମଧ୍ୟ ଲଗାଇବେ ଓ ହୋଟେଲ ବୁକିଂ ପାଇଁ ଅନ୍‍ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରିବେ ।

ହୋଟେଲ ବୁକିଙ୍ଗ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସକୁ ଚବିଶ ଘଣ୍ଟା ମଧ୍ୟରେ ଜଣାଇବାକୁ ଓ ହୋଟେଲରେ ରହୁଥିବା ସବୁ ଲୋକଙ୍କ ତାଲିକା ପ୍ରଦର୍ଶିତ କରିବାକୁ ମଧ୍ୟ ହୋଟେଲ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ । ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା ।

ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ନିମ କାଠ ସଂଗ୍ରହ ନିମନ୍ତେ ‘ବନଯାଗ ଯାତ୍ରା’ ନାମକ ସ୍ଵତନ୍ତ୍ର ଯାତ୍ରା (ଦାରୁବ୍ରହ୍ମ ଅନ୍ଵେଷଣ କାର୍ଯ୍ୟକ୍ରମ) ପାଳିତ ହୁଏ । ବାସନ୍ତିକ ଦୁର୍ଗାପୂଜା ଦଶହରା ଅର୍ଥାତ ଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ମଧ୍ୟାହ୍ନଧୂପ ଅବକାଶରେ ଶ୍ରୀଜୀଉଙ୍କ ବିଶେଷ ପୂଜା ପରେ ଏହାର ଅୟମାରମ୍ଭ ହୋଇଥାଏ । ଏହି ଦିନ କୋଇଲି ବୈକୁଣ୍ଠରେ ଦାରୁଗୃହ ଓ ଯଜ୍ଞଶାଳା ଅନୁକୂଳ କର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ନବ କଳେବର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ରେ ପ୍ରାୟ ପଚାଶ ଲକ୍ଷ ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ଓଡିଶା ଡଟ କମ

Exit mobile version