Site icon Odisha.com

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ ) ଉତ୍ତମ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସୋମବାର ରାଜ୍ୟର ମୁଖ୍ୟ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ଆରମ୍ଭ ହୋଇଛି ସାଇକେଲ ଚଲା ଅଭିଯାନ ।

‘ସୋମବାର ମୋର ସାଇକିଲ ଦିନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସାଧାରଣ ନାଗରିକ ପ୍ଲା କାର୍ଡ ସହ ଭାଗ ନେଇ ସହରରେ ସାଇକେଲ ଚାଳନ କରି ସଚେତନତା ସ୍ତୃଷ୍ଟି କରିଥିଲେ ।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବୁଜ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଓ ସମୁଦ୍ରର ବେଳାଭୂମି ପାଇଁ ପୁରୀ ସହର ବିଶ୍ଵ ପ୍ରସିଦ୍ଧ । ପୁରୁଷୋତ୍ତମ କ୍ଷେତ୍ର ନାମରେ ଜଣା ଶୁଣା ଭୁବନେଶ୍ଵର ଠାରୁ ୫୬ କିଲୋମିଟର ଦୂରରେ ଥିବା ଏହି ସହରକୁ ନିକଟରେ କେନ୍ଦ୍ର ସରକାର ଐତିହ୍ୟ ସହରର ମାନ୍ୟତା ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version