Site icon Odisha.com

ବିରୋଧ ଯୋଗୁଁ ହିଙ୍ଗୁଳା ଖଣିରେ କୋଇଲା ଉତ୍ପାଦନ ବାଧାପ୍ରାପ୍ତ

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୫ (ଓଡିଶା ଡଟ କମ) କମ୍ପାନୀରେ ଚାକିରି ଦାବିକରି ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାରୁ ଅନୁଗୁଳ ଜିଲ୍ଲାରେ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ ) ର ହିଙ୍ଗୁଳା କୋଇଲା ଖଣି ଗତ ଏକୋଇଶ ଦିନ ହେଲା ପ୍ରାୟ ଅଚଳ ରହି ଥିବା, ଏମସିଏଲ ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଫଳରେ ଉକ୍ତ ଖଣିରୁ ଦୈନିକ ପ୍ରାୟ ଦଶ ହଜାର ଟନ କୋଇଲା ଉତ୍ପାଦନ ହୋଇପାରୁନଥିବାବେଳେ ଖଣିକାର୍ଯ୍ୟରେ ଲାଗିଥିବା ମେସିନ ଓ ଶ୍ରମିକ ବିନା କାମରେ ବସିରହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା ।

ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଛନ୍ତି ।

ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ମୁଖ୍ୟ କାର୍ଯ୍ୟ।ଳୟ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ ହିଙ୍ଗୁଳା ଖଣିରୁ କୋଇଲା ନାଲକୋ ସମେତ ବିଭିନ୍ନ ବିଦ୍ୟୁତ ଉତ୍ପାଦନ କାରୀ କମ୍ପାନୀକୁ ଯୋଗାଇ ଦେଇଥାଏ ।

ଓଡିଶା ଡଟ କମ

Exit mobile version