Site icon Odisha.com

ବିରୋଧ ଯୋଗୁଁ ତାଳଚେର ଅଞ୍ଚଳରେ ସବୁ କୋଇଲା ଖଣି ବନ୍ଦ

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୬ (ଓଡିଶା ଡଟ କମ) କମ୍ପାନୀରେ ଚାକିରି ଦାବିକରି ଶତାଧିକ ଗ୍ରାମବାସୀ କରିଥିବା ରାସ୍ତା ଅବରୋଧକୁ ସମର୍ଥନ କରି ସ୍ଥାନୀୟ ଲୋକେ ବୁଧବାର ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ ) ର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଥିବା ସବୁ କୋଇଲା ଖଣିକୁ ବନ୍ଦ କରି ଦେଇଛନ୍ତି ।

ଉକ୍ତ ଅଞ୍ଚଳରେ ହିଙ୍ଗୁଳା କୋଇଲା ଖଣି ଗତ ଏକୋଇଶ ଦିନ ଧରି ପ୍ରାୟ ଅଚଳ ରହି ଥିବା ବେଳେ ବର୍ତ୍ତମାନ ଅନ୍ୟ ସବୁ ଖଣି ବନ୍ଦ ହେଇଯିବାରୁ ବିଦ୍ୟୁତ ଉତ୍ପାଦନ କମ୍ପାନୀ ମାନଙ୍କୁ ମହାନଦୀ କୋଲ ଫିଲଡସ ଲିମିଟେଡ ଦ୍ଵାରା କୋଇଲା ଯୋଗାଣ ନେଇ ସମସ୍ୟା ସୃଷ୍ଟି ହୋଇଥିବା କମ୍ପାନୀର ଜଣେ ମୁଖପାତ୍ର ବିନାୟକ ଜମୱାଲ ଓଡିଶା ଡଟ କମକୁ କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ହିଙ୍ଗୁଳା ଅଞ୍ଚଳରେ ଥିବା ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା । ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଛନ୍ତି ।

ଗ୍ରାମବାସୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ସ୍ଥାନୀୟ ଲୋକେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କଳା ପାଇଁ ଉକ୍ତ ଅଞ୍ଚଳରେ ବନ୍ଦ ଡାକରା ଦେଇଛନ୍ତି । ଫଳରେ ତାଳଚେର ଅଞ୍ଚଳରେ ଏମସିଏଲର ସାବୁ କୋଇଲା ଖଣି ବନ୍ଦ ରହିଛି ।

ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ମୁଖ୍ୟ କାର୍ଯ୍ୟ।ଳୟ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ ତାଳଚେର କୋଇଲା ଖଣିରୁ ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷ ଟନ କୋଇଲା ଉତ୍ପାଦନ କରିଥାଏ ।

ଓଡିଶା ଡଟ କମ

Exit mobile version