Site icon Odisha.com

ଦାରୁ ବୃକ୍ଷଥିବା ଗାଁରେ ପୁଲିସ କଟକଣା ଯୋଗୁଁ ବାସିନ୍ଦାଙ୍କ ଦହଗଞ୍ଜ

ଓଡିଶା ଡଟକମ: ଅମରନାଥ ପରିଡା

ଜଗତସିଂହପୁର,ମଇ ୭ (ଓଡିଶା ଡଟ୍ କମ୍), ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଚିହ୍ନଟ ହେବାପରେ ବ୍ୟାପକ ପୁଲିସ କଟକଣା ଯୋଗୁଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ପିଇବା ପାଣି ମୁନ୍ଦାଏ ପାଇଁ ସେମାନେ ବ୍ୟାପକ ଦହଗଞ୍ଜର ସାମ୍ନା କରୁଥିବା ଗ୍ରାମବାସୀ ଗୁରୁବାର କହିଛନ୍ତି ।

ଦାରୁ ବୃକ୍ଷ ଚିହ୍ନଟ ହେବା ପରେ ଗାଁରେ ଥିବା ଏକମାତ୍ର ନଳକୂପକୁ ସ୍ଥାନୀୟ ପ୍ରଶାସନ ହଟାଇ ଦେଇଛି । ଦାରୁ ଚାରିକଡେ ବାଉଁଶ ଓ ଲୁହା ବ୍ୟାରୀକେଡ ନିର୍ମାଣ କରାଯାଇଛି ଓ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କୁ ପାଖ ଗାଁରୁ ବ୍ୟାରିକେଡ଼ ଅତିକ୍ରମ କରି ପାଣି ଆଣିବା ପାଇଁ ଅନୁମତି ଦେଉନାହିଁ ।

ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ତାଲ୍ଲି କହିଛନ୍ତି ନଳକୂପକୁ ସାମୟିକ ହଟା ଯାଇଛି ଓ ଟ୍ୟାଙ୍କର ସାହାଯ୍ୟରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଦାରୁ ଛେଦନ ପରେ ପୁନଶ୍ଚ ନଳକୂପର ବ୍ୟବସ୍ଥା କରି ଦିଆଯିବ ।

ତେବେ ଗ୍ରାମର ବୁଲେଇ ମଲ୍ଲିକ କହିଛନ୍ତି ଯୋଗାଇ ଦିଆ ଯାଉଥିବା ପାଣି ତାଙ୍କୁ ନିଅଣ୍ଟ ହେଉଛି ଓ ଦାରୁ ବୃକ୍ଷ ଚାରିପଟେ ବେରିକେଡ଼ ନିର୍ମାଣ କରାଯାଇଥିବାରୁ ପୁଲିସ କଟକଣା ଯୋଗୁଁ ତାକୁ ଅତିକ୍ରମ କରି ଅନ୍ୟ ଗାଁରୁ ପିଇବା ପାଣି ସଂଗ୍ରହ କରିବା ସମ୍ଭବପର ହେଉନାହିଁ ।

ଗ୍ରାମ ମୁଖିଆ କୃଷ୍ଣ ମଲ୍ଲିକ କହିଛନ୍ତି ଗାଁର ପ୍ରାୟ ଷାଠିଏଟି ଦଳିତ ପରିବାର ଶ୍ରୀ ଜଗନ୍ନାଥଙ୍କ ପାଇଁ ଚିହ୍ନଟ ହୋଇଥିବା ପବିତ୍ର ଦାରୁ ବୃକ୍ଷଙ୍କୁ ଗତ ଅଣେଇଶ ବର୍ଷ ହେବ ପୂଜା କରିଆସୁଛନ୍ତି । ଦାରୁଗଛ ଚିହ୍ନଟ ହେଲା ପରେ ସମସ୍ତ ଗ୍ରାମବାସୀ ଖୁସି ଅନୁଭବ କରୁଛନ୍ତି ।

ବନଯାଗ ଯାତ୍ରୀ ଦଳ ଯେତେବେଳେ ଗ୍ରାମରେ ପ୍ରବେଶ କଲେ ସେତେବେଳେ ନା ପୁଲିସ ଥିଲା ନା ପ୍ରଶାସନ । ଦାରୁବୃକ୍ଷ ଦେଖିବାପାଇଁ ଲୋକଙ୍କର ସୁଅ ଛୁଟିବାରୁ ଗାଁରେ ସ୍ଥାନୀୟ ବାସିନ୍ଦା ହିଁ ଟ୍ରାଫିକ ନିୟନ୍ତ୍ରଣ କରିବା , ପାର୍କିଂ ପାଇଁ ସ୍ଥାନ ଯୋଗାଇବା ଆଦି କାମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପୁଲିସ କି ପ୍ରଶାସନ ତାଙ୍କୁ ଠିକ ଭାବେ ପଚାରୁ ନ ଥିବା ସେ ଅଭିଯୋଗ କହିଛନ୍ତି ।

ଗାଁରେ ଏକ ପ୍ରକାର ମେଳା ଲାଗିଛି ଓ ବହୁ ସ୍ଵେଚ୍ଛାସେବୀ ସଂଗଠନ, କ୍ଷୁଦ୍ର ବ୍ୟବସାୟୀ, ଫେରିବାଲା, ବରା ପିଆଜି, ଜଳଖିଆ ଓ ବାରମଜା ବିକାଳି ନିଜର ଆସ୍ଥାନ ଜମାଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁଲୋକ ପଲିଥିନ, ରଦି କାଗଜ ଇତଃସ୍ତତଃ ଫୋପାଡୁ ଥିବାରୁ ପରିବେଶ ଦୂଷିତ ହୋଇଛି ।

ପୁଲିସ ଷାଠିଏ ଯାକ ପରିବାରଙ୍କୁ ଦାରୁ ଦର୍ଶନ ପାଇଁ ଷାଠିଏଟି ପାସ ଇସୁ କରିଥିଲା କିନ୍ତୁ ସେମାନେ ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଜଣ ପିଛା ଗୋଟିଏ ଲେଖାଏଁ ପାସ ଦାବି କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ବିଶୃଙ୍ଖଳା ଆଶଙ୍କାରେ ସମସ୍ତଙ୍କୁ ପାସ ଦିଆ ଯାଇନଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version