Site icon Odisha.com

ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷରେ ଥିବା ପେଚାଙ୍କୁ ନେଇ ବିବାଦ

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୭ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷରେ ରହିଥିବା ଏକ ପେଚା ପରିବାରକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।

ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବୁଧବାର ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ । ତେବେ ପେଚାଙ୍କୁ ନଧରିବା ପାଇଁ ଦଇତାପତି ମାନେ ଜିଦ ଧରିବାରୁ ସେମାନେ ଏହି ଅଭିଯାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ।

ସ୍ଥାନୀୟ ଜଙ୍ଗଲ ଅଧିକାରୀ ପେଚାଙ୍କୁ ଧରିବାର ଆବଶ୍ୟକ ନାହିଁ ଓ ସେମାନେ ବୃକ୍ଷ ଛେଦନ ସମୟରେ କିମ୍ବା ପୂର୍ବରୁ ଉଡିଯିବେ ବୋଲି କହୁଥିବା ବେଳେ, ଶାବକ ପେଚା ଉଡିବାରେ ସକ୍ଷମ ନୁହନ୍ତି ଓ ସେମାନଙ୍କୁ ଉଦ୍ଧାର କରାଯିବା ଉଚିତ ବୋଲି ବିଶ୍ଵଜିତ ମହାନ୍ତି କହିଛନ୍ତି ।

ପେଚା ଦେବୀ ଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଖରିପଡିଆରେ ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷ ଓ ପେଚାଙ୍କୁ ଦେଖିବା ପାଇଁ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି ।

ଓଡିଶା ଡଟ କମ

Exit mobile version