Site icon Odisha.com

ସୃଷ୍ଟି ସାହୁ ସିବିଏସ୍ଇ ଉଡାଣରେ ଦେଶରେ ପ୍ରଥମ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ଭୁବନେଶ୍ଵରର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ ସ୍କୁଲର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ସୃଷ୍ଟି ସାହୁ ସଦ୍ୟ ଘୋଷିତ ଜେଇଇ (ମେନ୍ସ ) ପରୀକ୍ଷାରେ ସିବିଏସ୍ଇ ଉଡାଣ ତରଫରୁ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ମଧ୍ୟରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି ।

ପ୍ରତିଭାବାନ ମେଧାବୀ ଛାତ୍ରୀଙ୍କୁ ସ୍ଵତନ୍ତ୍ର ପଦ୍ଧତିରେ ଚୟନ କରି ସେମାନଙ୍କୁ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଠାରୁ ସିବିଏସ୍ଇ ଏହି ଅଭିନବ ଉଡାଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ସମଗ୍ର ଦେଶରେ ଉଭୟ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରୁ ପ୍ରାୟ ଏକ ହଜାର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ରେ ବୈଷୟିକ ସହାୟତା ସହ ପାଠ୍ୟସାମଗ୍ରୀ ଓ ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯାଇଥିଲା ।

ନଭେମ୍ବର ୨୦୧୪ରୁ ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇ ମାର୍ଚ ୨୦୧୫ ରେ ସରିଥିଲା । ତନ୍ମଧ୍ୟରୁ ଦ୍ଵାଦଶ ଶ୍ରେଣୀର ୩୫୯ ଜଣ ଜେଇଇ ମେନ ପଋକ୍ଷ ଦେଇଥିଲେ ଓ ୧୧୪ ଜଣ କୃତିତ୍ଵର ସହ ଉତୀର୍ଣ୍ଣ ହୋଇଛନ୍ତି ।

ଓଡିଶା ପାଇଁ ଡିଏଭି ଚନ୍ଦ୍ରଶେଖରପୁର ଷ୍ଟଡି ସେନ୍ଟର ତଥା ନୋଡାଲ କେନ୍ଦ୍ର ଭାବେ ମନୋନୀତ ହୋଇଥିବା ବେଳେ ଏଠାରୁ ପରୀକ୍ଷା ଦେଇଥିବା ଛଅ ଜଣ ଛାତ୍ରୀ ସଫଳତା ହାସଲ କରିଥିବା ସ୍କୁଲ କତ୍ତୃପକ୍ଷ ଓଡିଶା ଡଟ୍ କମ୍ କୁ ସୂଚନା ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version