Site icon Odisha.com

ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟର ଉଦଘାଟନ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୧୦ (ଓଡିଶା ଡଟ କମ ) ଜାତୀୟ ତୈଳ କମ୍ପାନୀ ଓଏନଜିସିର ଓଡ଼ିଶା କାର୍ଯ୍ୟାଳୟ ରବିବାର ଭୁବନେଶ୍ଵର ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଓଏନଜିସି ଓଡ଼ିଶା ଭଳି ଏକ ବିକାଶଶୀଳ ରାଜ୍ୟରେ ଶକ୍ତି ଉତ୍ସ ମାନଙ୍କର ଅନ୍ୱେଷଣ ପ୍ରକ୍ରିୟା ନୂତନ ଭାବରେ ଆରମ୍ଭ କରୁଛି । ପ୍ରାଥମିକ ଆକଳନ ଅନୁଯାୟୀ, ଓଡିଶାରେ ବ୍ୟାପକ ପରିମାଣରେ ହାଇଡ୍ରୋକାର୍ବନ ଗଚ୍ଛିତ ରହିଛି ।

ବିଶେଷକରି ଉପକୁଳରୁ ଦୂରବର୍ତ୍ତୀ ଅଂଚଳରେ ଗ୍ୟାସ୍ ରିଜର୍ଭମାନ ରହିଅଛି । ଓଏନଜିସି ଖୁବଶୀଘ୍ର ଓଡିଶାରେ ଦୁଇ ଡାଇମେନସନ ସେସମିକ ସର୍ଭେ କରିବାକୁ ଯାଉଅଛି ଯାହାକି ରାଜ୍ୟର ମୂଳ ଭୂଖଣ୍ଡରେ ଗଚ୍ଛିତ ସମ୍ପଦ ସମ୍ପର୍କରେ ସବିଶେଷ ବିବରଣୀ ଦେବ ।

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ତଥା ଏକ ସମୃଦ୍ଧ ସଂସ୍କୃତି ସମ୍ପନ୍ନ ରାଜ୍ୟ ଭାବେ ସୁପରିଚିତ ଓଡ଼ିଶାରେ ଓଏନଜିସିର ଉପସ୍ଥିତି, ଏହି ମହାରତ୍ନ କମ୍ପାନୀର ଗୌରବମୟ ଯାତ୍ରାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିହୋଇଥିବା ସେ କହିଥିଲେ ।

୧୯୯୯ ମସିହାରେ ପ୍ରବର୍ତ୍ତନ କରାଯାଇଥିବା ନୂତନ ଉତ୍ତୋଳନ ଲାଇସେନସିଂ ନୀତି ପରଠାରୁ ଓଏନଜିସି, ଓଡିଶା ଉପକୂଳରେ ମହାନଦୀ ଅବବାହିକାର ଉଭୟ ଗଭୀର ଏବଂ ଅଗଭୀର ଜଳ କ୍ଷେତ୍ରରେ ନୂତନ ଶକ୍ତି ଉତ୍ସର ଅନ୍ୱେଷଣରେ ଲାଗିଥିବା ସେ କହିଥିଲେ ।

ଓଏନଜିସିର ଭୁବନେଶ୍ୱରଠାରେ ଉଦଘାଟିତ ହୋଇଥିବା ନୂତନ ରାଜ୍ୟ କାର୍ଯ୍ୟାଳୟ ମହାନଦୀ ଅବବାହିକାରେ ଅନ୍ୱେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅଧ୍ୟକ୍ଷ ଦୀନେଶ ସରାଫ, ଓ ବରିଷ୍ଠ ଅଧିକାରୀ ଏ କେ ଦ୍ୱିବେଦି, ଡି ଡି ମିଶ୍ର ଏବଂ ଏ ଭି ସାଥେ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶିଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ କମ୍ପାନୀ ତରଫରୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରି ସମ୍ବର୍ନ୍ଧିତ କରିଥିଲେ ।

ଓଡିଶା ଡଟ କମ

Exit mobile version