Site icon Odisha.com

ଚାରି ଯୁବତୀ ଉତ୍ତରପ୍ରଦେଶରୁ ଉଦ୍ଧାର, ଦୁଇ ଅଟକ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ,ମଇ ୧୦(ଓଡିଶା ଡଟ୍ କମ୍), ପୁରୀ ଜିଲ୍ଲାର ହୁମର ଗାଁର କିଛି ଯୁବତୀଙ୍କୁ ନାଚ ପ୍ରଦର୍ଶନ କରିବା ପାଇଁ ଉତ୍ତରପ୍ରଦେଶ ନେଇ ସେଠାରେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଛି ।

ଡେଲାଙ୍ଗ ଥାନା ଅନ୍ତର୍ଗତ ଏହି ଗାଁରେ ନାଚ ଶିଖାଉଥିବା ଜଣେ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ଚାରିଜଣ ଯୁବତୀଙ୍କୁ ଗତମାସରେ ବିଭିନ୍ନ ସ୍ଥାନରେ ନାଚ ପ୍ରଦର୍ଶନ ପାଇଁ ନେଇଥିଲେ । ରାଜ୍ୟର ବାଲେଶ୍ଵରରେ କାର୍ଯ୍ୟକ୍ରମ କରିବା ପରେ ସେମାନଙ୍କୁ ଉତ୍ତରପ୍ରଦେଶର ଜନପୁର ଜିଲ୍ଲାକୁ ନେଇଯାଇଥିଲେ ।

ସେଠାରେ ଆଉକିଛି ଦିନ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ବାଧ୍ୟ କରିଥିବା ବେଳେ ସମ୍ପୃକ୍ତ ଯୁବତୀ ମାନେ ଏହାର ବିରୋଧ କରିଥିଲେ । ବହୁଦିନ ଧରି ଘରୁ ଅନୁପସ୍ଥିତ ରହିଥିବାରୁ ସେମାନେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚାହିଁ ଥିଲେ ।

ଯୁବତୀ ମାନଙ୍କୁ ପାରିଶ୍ରମିକ ଦେଇସାରିଥିବାରୁ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ଫଳରେ ସେମାନଙ୍କ ଭିତରେ ଉଛ ବାଚ ହୋଇଥିବା ପୁଲିସ କହିଛି । ସମ୍ପୃକ୍ତ ଯୁବତୀମାନେ ଖବର ଦେବା  ପରେ ତାଙ୍କ ପରିବାର ଲୋକେ ପୁଲିସର ସହାୟତା ଲୋଡିଥିଲେ ।

ପୁଲିସର ଏକ ଦଳ ଉତ୍ତରପ୍ରଦେଶ ଯାଇ ଯୁବତୀମାନଙ୍କୁ ଠାବ କରି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ, ସେଠାକାର ପୁଲିସ ସହାୟତାରେ ନୃତ୍ୟ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖିଥିବା ଡେଲାଙ୍ଗ ଥାନାର ଜଣେ  ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଓଡିଶା ଡଟ କମ

Exit mobile version