Site icon Odisha.com

ଇଣ୍ଡିଆନ ଅଏଲ ବିରୋଧରେ ଜମିହରା ପରିବାରଙ୍କ ବିକ୍ଷୋଭ

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୧ (ଓଡିଶା ଡଟ କମ) ବିଭିନ୍ନ ଦାବି ନେଇ ଭୂମିହରା କୃଷକ ଏକତା ମଞ୍ଚ ଆନୁକୁଲ୍ୟରେ ସୋମବାର ପାରାଦୀପ ଠାରେ ଇଣ୍ଡିଆନ ଅଏଲ ପ୍ରକଳ୍ପର ବିଶୋଧନ ପ୍ରକଳ୍ପ ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରକଳ୍ପ ପାଇଁ ୩୩୩୦ ଏକର ଘରୋଇ ଜମି ଦେଇଥିବା ସତ୍ଵେ ସେମାନଙ୍କ ସ୍ଵାର୍ଥ ପ୍ରତି କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ସେମାନେ ଏକ ବିରାଟ ପଟୁଆର ରେ ଆସି ଧାରଣାରେ ବହୁ ସମୟ ଧରି ବସିରହିଥିଲେ ।

ପ୍ରକଳ୍ପ ଆରମ୍ଭ ହେଲେ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ, ଏବେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଇଣ୍ଡିଆନ ଅଏଲ କର୍ପୋରେଶନ ଅଶି ହଜାର ଟଙ୍କା ଏକର ପ୍ରତି ଦରରେ ତାଙ୍କଠାରୁ ଜମି ଅଧିଗ୍ରହଣ କରିଥିବା ବେଳେ, ଉକ୍ତ ଅଞ୍ଚଳରେ ପ୍ରକଳ୍ପ ସ୍ଥାପନ କରିଥିବା ଏସାର ଭଳି ଅନ୍ୟ କମ୍ପାନୀ ଏକର ପିଛା ଅଣେଇଶ ଲକ୍ଷ ରୁ ଊର୍ଦ୍ଧ୍ଵ କ୍ଷତିପୂରଣ ଦେଇଛନ୍ତି ।

ଅଞ୍ଚଳରେ ତୈଳ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ହୋଇଥିବା ପ୍ରାୟ ୧୭୫୨ ପରିବାରର କାହାକୁ ବି ଚାକିରି ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ବାମପନ୍ଥୀ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ ଓ ଅଭୟ ସାମଲ ଆଦି ଏହି ବିକ୍ଷୋଭର ନେତୃତ୍ଵ ନେଇଥିଲେ। ଜମି ହରା ପରିବାରଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେମାନେ ଉଦବୋଧନ ଦେଇ କହିଥିଲେ ।

ଓଡିଶା ଡଟ କମ

Exit mobile version