Site icon Odisha.com

ବାଦ-ବିବାଦପରେ ସାତ ବର୍ଷର ଧର୍ମପଦ ପୁରସ୍କାର ଘୋଷଣା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୩ (ଓଡିଶା ଡଟ କମ)ବହୁ ବାଦ-ବିବାଦପରେ ରାଜ୍ୟ ସରକାର ମଙ୍ଗଳବାର ଏକକାଳୀନ ସାତବର୍ଷର ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି ।

ସଂସ୍କୃତି ବିଭାଗ ଅଧୀନରେ ଥିବା ଲଲିତ କଳା ଏକାଡେମୀ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁସାରେ ୨୦୦୯ ପାଇଁ ପଟ୍ଟଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ , ୨୦୧୦ ପାଇଁ ଚିତ୍ରଶିଳ୍ପୀ ତଥା ମଞ୍ଚ ଶିଳ୍ପୀ ଅସୀମ ବସୁ ଧର୍ମପଦ ପୁରସ୍କାରରେ ସମ୍ମାନିତ ହେବେ ।

ଠିକ ସେହି ପରି ଏହି ପୁରସ୍କାର ପାଇଁ ନମିତା ହୋଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ହେଲେ ୨୦୧୧, ୨୦୧୨, ୨୦୧୩, ୨୦୧୪ ଓ ୨୦୧୫ ପାଇଁ ଯଥାକ୍ରମେ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ୍ୟ ଡାଃ ଦୁର୍ଗାପ୍ରସାଦ ଦାସ, ଭାସ୍କର୍ଜ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଯତୀନ ଦାସ, ଚିତ୍ରଶିଳ୍ପୀ ତଥା କଳା ସମାଲୋଚକ ଦିନନାଥ ପାଠୀ ଓ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ।

ସମସ୍ତଙ୍କୁ ନଗଦ ଏକ ଲକ୍ଷଟଙ୍କାର ଅର୍ଥ ରାଶି ସହ ଉପଢୌକନ ଓ ମାନପତ୍ର ଦେଇ ସରକାର ସମ୍ବର୍ଦ୍ଧିତ କରିବେ ।

ଶିଳ୍ପୀମାନଙ୍କୁ ଦିଆଯାଉଥିବା ରାଜ୍ୟର ଏହି ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟାକୁ ନେଇ ୨୦୦୯ ରେ ବିବାଦ ସୃଷ୍ଟି ହୋଇଥିଲା । ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀ ଠିକ ଭାବେ ପାଳନ କରି ନ ଥିବା ବିଭିନ୍ନ ଶିଳ୍ପୀ ଅଭିଯୋଗ କରିବା ପରେ ସରକାର ଏହାର ତଦନ୍ତ ଆଦେଶ ଦେଇଥିଲେ ।

ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ବିବାଦ ଯୋଗୁଁ ୨୦୦୯ ଠାରୁ ଲଳିତକଳା ଏକାଡେମୀ ପୁରସ୍କାର ମନୋନୟନ ପ୍ରକ୍ରିୟା ବନ୍ଦ ରଖିଥିଲେ । ପୂର୍ବରୁ ପୁରସ୍କାର ବାବଦକୁ ପଚାଶ ହଜାର ଟଙ୍କା ଦିଆଯାଉଥିବା ବେଳେ ସରକାର ଏହାର ପରିମାଣ ଏକଲକ୍ଷ କୁ ବୃଦ୍ଧି କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version