Site icon Odisha.com

ମାଛ ଉତ୍ପାଦନ ୧୩ ଓ ରପ୍ତାନି ୨୬ ପ୍ରତିଶତକୁ ବୃଦ୍ଧି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୨ (ଓଡିଶା ଡଟ କମ) ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଦେଶକୁ ରପ୍ତାନି ୨୬ ପ୍ରତିଶତ ବୃଦ୍ଧି ପାଇ ଥିବା ଜଣେ ବରିଷ୍ଠ ବିଭାଗୀୟ ଅଧିକାରୀ ମଙ୍ଗଳବାର କହିଛନ୍ତି ।

୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ୪୬୭ ୦୭୬ ଟନ ମାଛ ଉତ୍ପାଦନ ହୋଇଥିବା ବେଳେ ପୂର୍ବ ବର୍ଷ ଏହା ୪୧୩୮୮୯ ଟନ ରହିଥିଲା ।

ସଚିବାଳୟ ରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ସୋମବାର ବିଭାଗର କାର୍ଯ୍ୟ ସମୀକ୍ଷା କରି ଆଗାମୀ ଦିନରେ ଉତ୍ପାଦନ ଅଭିବୃଦ୍ଧି ହାରକୁ କୋଡିଏ ପ୍ରତିଶତ କରିବାକୁ ପରାମର୍ଶ ଦେଇଥିଲେ ।

ଏଥିପାଇଁ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବୈଠକରେ ଗୁରୁତ୍ଵ ଆରୋପ କରାଯାଇଥିଲା ।

୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଅଧିକ ଚାରି ହଜାର ହେକ୍ଟର ଅଞ୍ଚଳରେ ମାଛ ଚାଷ କରାଯାଇଥିବା ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଠିକ ସେହି ପରି ବିଦେଶକୁ ରାଜ୍ୟରୁ ମାଛ ଜାତୀୟ ଦ୍ରବ୍ୟର ରପ୍ତାନି ମଧ୍ୟ ବୃଦ୍ଧି ପାଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ୨୩୦୦ କୋଟି ଟଙ୍କାର ରପ୍ତାନି ହୋଇଥିବା ବେଳେ ଏହାର ପୂର୍ବ ବର୍ଷ ଏହା ୧୮୧୭ କୋଟି ଟଙ୍କା ରହିଥିବା ସେ କହିଛନ୍ତି ।

ରାଜ୍ୟରେ ଜଣ ପିଛା ମାଛ ଖାଇବା ପରିମାଣ  ୨୦୧୩ – ୧୪ ଓ ୨୦୧୨-୧୩ରେ ହାରାହାରି ୯.୧୩ କେଜି ରହିଥିବା ବେଳେ ୨୦୧୪-୧୫ରେ ଏହା ୯.୪୦ କେଜିକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ବାର୍ଷିକ ମାଛ ଖାଇବା ପରିମାଣ ହେଉଛି ୯.୮ କିଲୋଗ୍ରାମ ।

ଓଡିଶା ଡଟ କମ

Exit mobile version