Site icon Odisha.com

ଅନୁଗୁଳରେ ଆରଏସ୍ଏସ୍ ର ୨୧ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ୧୩ (ଓଡିଶା ଡ଼ଟ୍ କମ୍)-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ୨୧ ଦିନିଆ ଆନ୍ତରାଜ୍ୟ ପ୍ରଶିକ୍ଷଣ ଶିବିର ଅନୁଗୁଳ ଠାରେ ଆରମ୍ଭ ହୋଇଛି ।

ମଇ ୧୦ ତାରିଖ ଦିନ ପ୍ରଥମବର୍ଷ ଓ ପ୍ରଥମ ବର୍ଷ ବିଶେଷ ବର୍ଗକୁ ସଂଘର ଅଖିଳ ଭାରତୀୟ ସହ ପ୍ରଚାରକ ପ୍ରମୁଖ ଅଦୈତ କୁମାର ଦତ୍ତ ଉଦଘାଟନ କରିଥିବା ବେଳେ ଦ୍ୱୀତିୟ ବର୍ଷ ସଂଘ ଶିକ୍ଷା ବର୍ଗକୁ ସଂଘର ପୂର୍ବତନ କ୍ଷେତ୍ର ସଂଘ ଚାଳକ ଶ୍ରୀ ରଣେନ୍ଦ୍ର ନାଥ ବନ୍ଦୋପାଧ୍ୟାୟ ଉଦଘାଟନ କରିଥିଲେ ।

ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆରମ୍ଭ ହୋଇଥିବା ଏହି ସଂଘଶିକ୍ଷା ବର୍ଗ ଆସନ୍ତା ମଇ ୩୧ ତାରିଖ ସକାଳେ ଉଦଯାପିତ ହେବ । ଏଥିରେ ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ, ପ୍ରଥମ ବର୍ଷ ବିଶେଷ ସଂଘ ଶିକ୍ଷାବର୍ଗ ଓ ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ଅନୁଷ୍ଠିତ ହେଉଛି ।

ଓଡିଶାରୁ ପ୍ରଥମ ବର୍ଷରେ ୨୧୧ ଜଣ ଓ ପ୍ରଥମ ବର୍ଷ ବିଶେଷରେ ୩୩ ଜଣ ଶିକ୍ଷାର୍ଥି ଭାଗ ନେଇଛନ୍ତି । ଏମାନଙ୍କୁ ୩୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ସେହିପରି ଓଡିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ସିକିମ୍ ରେ ୧୬୯ ଜଣ ଶିକ୍ଷାର୍ଥି ଓ ୨୫ ଜଣ ଶିକ୍ଷକଙ୍କୁ ନେଇ ଅନୁଷ୍ଠିତ ହେଉଅଛି ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ । ଏହି ତିନୋଟି ସଂଘ ଶିକ୍ଷାବର୍ଗର ପରିଚାଳନା ପାଇଁ ୬୦ ଜଣ ପ୍ରବନ୍ଧକ କାର୍ଯ୍ୟରେ ଲାଗିଛନ୍ତି ।

ସଂଘର ପ୍ରାନ୍ତୀୟ, କ୍ଷେତ୍ରୀୟ ଓ ଅଖିଳ ଭାରତୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସୂର୍ଯ୍ୟନମସ୍କାର, ଯୋଗାସନ, ପ୍ରହାର, ସଂଚଳନ, ଦଣ୍ଡଯୁଦ୍ଧ, ନିୟୁଦ୍ଧ, ଖେଳ, ଗଣ ସମତା, ବ୍ୟାୟାମ ଯୋଗ, ଦଣ୍ଡ, ପଦବିନ୍ୟାସ, ସଂଘର ଆଚାର ପଦ୍ଧତି, ଗୀତ, ବୌଦ୍ଧିକ, ସମାଚାର ଲିଖନ ଓ ସମୀକ୍ଷା, ବଡ କାହାଣୀ, ଚର୍ଚ୍ଚା, ଅମୃତ ବଚନ, ସାଧାରଣ ଜ୍ଞାନ, ଏକାତ୍ମତାମନ୍ତ୍ର, ପ୍ରାର୍ଥନା, ସେବା ଆଦି ବିଭିନ୍ନ ବିଷୟରେ ସମସ୍ତ ଶିକ୍ଷାର୍ଥିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ବୋଲି ସଂଘର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶାର ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

ଓଡିଶା ଡ଼ଟ୍ କମ୍

Exit mobile version