Site icon Odisha.com

ଶ୍ରମିକଙ୍କୁ ଦରମା ନଦେବା ଅଭିଯୋଗ ପରେ ଏସାରକୁ ନୋଟିସ

ଓଡିଶା ଡଟ କମ: ଅମରନାଥ ପରିଡା

ପାରାଦୀପ, ମଇ ୧୩ (ଓଡିଶା ଡଟ କମ) ପାରାଦୀପ ଠାରେ ଥିବା କାରଖାନାରେ କାମ କରୁଥିବା ଶତାଧିକ ଶ୍ରମିକଙ୍କୁ ଦରମା ଦେଇନଥିବା ଅଭିଯୋଗ ପରେ ଶ୍ରମ ବିଭାଗ ଏସାର ଷ୍ଟିଲ କମ୍ପାନୀକୁ ଏକ ନୋଟିସ ଜାରି କରିଛନ୍ତି ।

କମ୍ପାନୀର କାରଖାନା ପାଇଁ ୨୦୦୫-୨୦୦୬ରେ ନିଜ ଜମି ଦେଇଥିବା ୨୬୧ ବିସ୍ଥାପିତ ଓ ଜମିହରା ପରିବାର ବିଭିନ୍ନ ସମୟରେ ନିଜର ‘ପ୍ରାପ୍ୟ ଦାବି’ ପୂରଣ ପାଇଁ ଆନ୍ଦୋଳନ ଚଳାଇ ଆସିଥିଲେହେଁ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନଥିବା ଶ୍ରମିକ ନେତା ତୋଫାନ ସ୍ଵାଇଁ ଅଭିଯୋଗ କରିଛନ୍ତି ।

ଏହି ବିସ୍ଥାପିତ ଓ ଜମିହରା ପରିବାର ମାନଙ୍କ ମଧ୍ୟରୁ କମ୍ପାନୀ କିଛି ଲୋକଙ୍କୁ କାରଖାନାରେ ଚାକିରି ଦେଇଥିଲା । ତେବେ ଗତ ପାଞ୍ଚ ମାସ ହେଲା ସେମାନଙ୍କୁ ଦରମା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି ।

ମଜୁରି ବାବଦକୁ କମ୍ପାନୀ ପ୍ରାୟ ଏକ କୋଟି ଟଙ୍କାରୁ ଊର୍ଦ୍ଦ୍ଵ ବକେୟା ରଖିଥିବା ସେ କହିଛନ୍ତି । ଗତ ମାସ ପନ୍ଦର ତାରିଖରେ ଶ୍ରମିକମାନେ ଜିଲ୍ଲା ପ୍ରଶାସନକୁ ନିଜ ଅସୁବିଧା ସମ୍ପର୍କରେ ଜଣାଇବା ସହ ଏକ ଦାବି ପତ୍ର ଦେଇଥିଲେ ।

ତେବେ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନ ନେବାରୁ ଶ୍ରମିକ ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି ।

ସରକାର ଏକର ପିଛା ୧୯.୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ନିର୍ଧାରିତ କରିଥିବା ବେଳେ ଏବେ ମଧ୍ୟ କମ୍ପାନୀ କ୍ଷତିପୂରଣ ବାବଦକୁ ୨୪.୫୦ କୋଟି ଟଙ୍କା ପଇଠ କରି ନ ଥିବା ସେ ଓଡିଶା ଡଟ କମକୁ କହିଛନ୍ତି ।

ଜିଲ୍ଲା ଶ୍ରମ ଅଧିକାରୀ ବିଘ୍ନଜିତ ମହାପାତ୍ର କହିଛନ୍ତି ଶ୍ରମିକ ମାନଙ୍କ ଅଭିଯୋଗ ଉପରେ ତାଙ୍କ ବିଭାଗ କମ୍ପାନୀକୁ ଏକ ନୋଟିସ ଜାରି କରିଛି । ଏ ସଂକ୍ରାନ୍ତରେ କମ୍ପାନୀର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡିଶା ଡଟ କମ

Exit mobile version