Site icon Odisha.com

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗର ବିକାଶ ଉପରେ ଆଲୋଚନା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,ମଇ୧୪(ଓଡିଶା ଡଟ୍ କମ୍) ଫିକି ଓଡ଼ିଶା କାଉନସିଲ ଦ୍ଵାରା ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ଏଣ୍ଟ୍ରେପ୍ରେନିୟରସିପ୍ ରାଉଣ୍ଡ ଟେବୁଲ୍ରେ ଅଣୁ , କ୍ଷୁଦ୍ର,ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ବିକାଶର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଛି ।

ଭାଗୀଦାରୀ କାର୍ଯ୍ୟ ଦ୍ୱାରା ଉଦ୍ୟୋଗର ସରଳୀକରଣ ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାରଙ୍କ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ ଶ୍ରୀ ପଂଚାନନ ଦାସ “ଆମ୍ ୱେ ଇଣ୍ଡିକସ୍ ଏଣ୍ଟ୍ରେପ୍ରେନିୟରସିପ୍ ରିପୋର୍ଟ ୨୦୧୪”କୁ ଉନ୍ମୋଚନ କରିଥିଲେ ଓ ଏହାର ପ୍ରମୁଖ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଶାକୁ ମିଶାଇ ଭାରତର ୨୦ଟି ରାଜ୍ୟର ୫୦ଟି ସହରରୁ ୫୦୦୦ ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଊଦ୍ୟୋଗ ବିକାଶ ପାଇଁ ଅନେକ ସମ୍ଭାବନା ରହିଛି ।

ଆମ ୱେ ଇଣ୍ଡିଆର ଶ୍ରୀଯୁକ୍ତ ଅଂଶୁ ବୁଦ୍ଧରାଜା କହିଛନ୍ତି ଯେ ଭାରତ ୨୦୨୫ ସୁଦ୍ଧା ସବୁଠାରୁ ଅଧିକ କାର୍ଯ୍ୟ କରୁଥିବା ଲୋକଙ୍କ ଦେଶ ଭାବେ ପରିଗଣିତ ହେବ ।

ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ପ୍ରଦାନ ହେଉଛି ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ୱାନ । ଆମେ ଆଶା କରୁଯେ ଉପଯୁକ୍ତ ଦକ୍ଷତା ବିକାଶ ଦ୍ୱାରା ସେମାନେ ଉପଯୁକ୍ତ ଭାବରେ କର୍ମନିଯୁକ୍ତିର ସୁଯୋଗ ପାଇପାରିବେ ।

ଏହି କର୍ମଶାଳାରେ ପୁଲକ କୁମାର ସିହ୍ନା, ଜେନେରାଲ୍ ମ୍ୟାନେଜର (ଏନଡବ୍ଲ୍ୟୁ-୧) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଶ୍ରୀ ବି.ପି. ସାମନ୍ତରାୟ, ସର୍କଲ୍ ହେଡ୍ ଓ ଆବାହକ ଏସ୍ଏଲବିସି, ୟୁକୋ ବ୍ୟାଙ୍କ, ଶୁଭ୍ରାଂଶୁ ଆଚାର୍ଯ୍ୟ, ଡେପୁଟି ଜେନେରାଲ୍ ମ୍ୟାନେଜର, ସିଡବି ଯୋଗ ଦେଇଥିଲେ ।

ବକ୍ତବ୍ୟ ପ୍ରଦାନ କରିବା ଅବସରରେ ରାଜ୍ୟ ସରକାରଙ୍କ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ ପଂଚାନନ ଦାସ କହିଛନ୍ତି ଯେ ଉଦ୍ୟୋଗମାନଙ୍କ ନିମନ୍ତେ ରାଜ୍ୟ ସରକାର ନୂତନ ବ୍ୟବସ୍ଥା ନେଇ ଆସିଛନ୍ତି ଯଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସମସ୍ୟାମୁକ୍ତ କରାଯାଇପାରିବ ।

ଉଦ୍ୟୋଗୀମାନଙ୍କୁ କୌଣସି କାର୍ଯ୍ୟ।ଳୟକୁ ଯିବାର ଆବଶ୍ୟକତା ନାହିଁ ବରଂ ସେମାନେ ଘରେ ବସି ଅନ ଲାଇନରେ ଆବେଦନ କରିପାରିବେ ବୋଲି ଶ୍ରୀଯୁକ୍ତ ଦାସ ସୂଚନା ପ୍ରଦାନ କରି କହିଥିଲେ । ସେ ପୁଣି କହିଥିଲେ ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଏକ ଅନ ଲାଇନ ପୋର୍ଟାଲ୍ ପ୍ରସ୍ତୁତ କରିଛି ଯେଉଁଠାରେ କମ୍ପାନୀମାନେ ସେମାନଙ୍କର ନୂତନ ଉତ୍ପାଦ ଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।

ସେ ମଧ୍ୟ କହିଥିଲେ ଯେ ଜୁଲାଇ ପରଠାରୁ ରାଜ୍ୟ ସରକାରଙ୍କ ଦ୍ୱାରା ସିଙ୍ଗିଲ୍ ଉଇଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଓଡିଶା ଡଟ କମ

Exit mobile version