Site icon Odisha.com

ମତ୍ସ୍ୟ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ ପାଇଁ ମାଲେସିଆ ସଂସ୍ଥାର ଆଗ୍ରହ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୪ (ଓଡିଶା ଡଟ କମ) ଆଗାମୀ ପାଞ୍ଚ ବର୍ଷରେ ମତ୍ସ୍ୟ ଉତ୍ପାଦନ ଦ୍ଵିଗୁଣିତ କରିବା ପାଇଁ ରଖା ଯାଇଥିବା ଲକ୍ଷ ହାସଲରେ ଓଡିଶାକୁ ମାଲେସିଆ ସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ୱାର୍ଲ୍ ଡ ଫିସ ସାହାଯ୍ୟ କରିବା ପାଇଁ ଗୁରୁବାର ପ୍ରତିଶ୍ରୁତି ଦେଇଛି ।

ପେନାଂଗ ଠାରେ ମୁଖ୍ୟ ଦପ୍ତର ଥିବା ଏହି ସଂସ୍ଥାର ନିର୍ଦ୍ଦେଶକ ମାଇକେଲ ଫିଲିଫସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ରାଜ୍ୟ ସରକାରଙ୍କ ସହ ସହଭାଗୀତା ସଂକ୍ରାନ୍ତୀୟ ଏକ ବିବରଣୀ ପ୍ରଦର୍ଶନ କରିଥିଲେ ।

ଜୈବିକ ପଦ୍ଧତିରେ ବିକଶିତ ହୋଇଥିବା ମତ୍ସ୍ୟ ଚାଷ କ୍ଷେତ୍ର ‘ଟିଲପିଆ’ ବ୍ୟବହାରରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିବ ବୋଲି ଦର୍ଶାଇ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ସେ ଦେଇଥିଲେ ।

ୱାର୍ଲ୍ ଡ ଫିସ ସଂସ୍ଥାର ସହଭାଗିତାରେ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ବିହନର ମାନରେ ଉନ୍ନତି, ଚାଷ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଖରୀର ବିସ୍ତାରୀକରଣ , ଚିଲିକା ଅଞ୍ଚଳରେ ଉତ୍ତମ କ୍ଷେତ୍ରର ପ୍ରସ୍ତୁତିକରଣ ଓ ରପ୍ତାନି ପାଇଁ ଅନ୍ତର୍ଜାତୀୟ ବଜାର ସହ ସଂଯୋଗୀକରଣ ଆଦି କାର୍ଯ୍ୟ କରାଯାଇପାରିବ ବୋଲି ସେ ଦର୍ଶାଇଥିଲେ ।

ବାଂଲାଦେଶ, ଫିଲିଫାଇନସ,କାମ୍ବୋଡିଆ, ଏବଂ ମ୍ୟାନମାର ସମେତ ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଉକ୍ତ ଦେଶ ମାନଙ୍କରେ ମତ୍ସ୍ୟ ଉତ୍ପାଦନ ବଢାଇବାରେ ସାହାଯ୍ୟ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ଆଲୋଚନା ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଆର ବାଳକ୍ରିସନ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version