Site icon Odisha.com

ଦାରୁ ଶଗଡି ଦେଖିବାକୁ ଭିଡ, ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୫ (ଓଡିଶା ଡଟ କମ) ଜଗତସିଂହପୁର ଜିଲ୍ଲାର ଖରିଆପଡାରୁ ଗୁରୁବାର ଯାତ୍ରା ଆରମ୍ଭ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି ଦେଖିବା ପାଇଁ ହୋଇଥିବା ଭିଡକୁ ନିୟନ୍ତ୍ରଣକରିବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିବାରୁ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଦାରୁ ଶଗଡି ଟାଣିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଥିଲେ । ପୁଲିସ ଏହା ଉପରେ କଟକଣା ଲଗାଇବାରୁ କ୍ଷୁବ୍ଧ ହୋଇ କେତେକ ଲୋକ ପୁଲିସ କୁ ଲକ୍ଷ କରି ଟେକା ପଥର ମାଡ କରିଥିଲେ । ତେବେ ତାହା ଯାଇ ଦଇତାପତିଙ୍କ ଦେଖରେ ବାଜିଥିଲା।

ଭିଡ କୁ ନିୟନ୍ତ୍ରଣ କରିବାପାଇଁ ପୁଲିସକୁ କଟକ ପାରାଦୀପ ରାସ୍ତାରେ ଥିବା ଓଡାପଡା ଛକ ନିକଟରେ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ବୋଲି ଉପ ଜିଲ୍ଲାପାଳ ନରହରି ସେଠୀ ଓଡିଶା ଡଟ କମକୁ କହିଛନ୍ତି ।

ତେବେ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ମୃଦୁ ଲାଠି ଚାଳନାରେ ପ୍ରାୟ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି ।

ଖରିଆପଡାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି ଗଡିବା ଆରମ୍ଭ ହେବାବେଳେ ଏକ ଭକ୍ତିମୟ ପରିବେଶ ସ୍ତୃଷ୍ଟି ହୋଇଥିଲା । ଭକ୍ତ ମାନଙ୍କ ହୁଳହୁଳି, ହରିବୋଲ ଓ ନାମ ସଙ୍କୀର୍ତ୍ତନ ଧ୍ୱନିରେ ବାତାବରଣ ପ୍ରକମ୍ପିତ ହୋଇଥିଲା ।

ଦାରୁ ଦର୍ଶନ କରିବା ପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ। ରାଜପଥ ଉପରେ ମହିଳା ମାନେ ଝୋଟି ଓ ମୁରୁଜ ପକାଇ ପରିବେଶକୁ ରଙ୍ଗୀନ କରିଥିଲେ ।

ଖରିଆପଡାରେ ଗ୍ରାମର ସମସ୍ତ ମହିଳା ଏକଜୁଟ ହୋଇ ଦାରୁ ଶଗଡି ଟାଣିଥିଲେ ଓ ଭାବ ବିଭୋର ହୋଇ ମହାପ୍ରଭୁଙ୍କ ଦାରୁକୁ ବିଦାୟ ଦେଇଥିଲେ ।

ଓଡିଶା ଡଟ କମ

Exit mobile version