Site icon Odisha.com

୪୧ ବର୍ଷତଳର ପରଶୁରାମ ହତ୍ୟାକାଣ୍ଡରେ ଜଣେ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ବଲାଙ୍ଗିର,ମଇ ୧୬ (ଓଡିଶା ଡ଼ଟ୍ କମ୍) ୪୧ ବର୍ଷ ପୂର୍ବେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ବହୁ ଚର୍ଚିତ ହତ୍ୟାକାଣ୍ଡରେ ମଇ ଚାରି ତାରିଖରେ ନଅ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜୀବିତ ଥିବା ତିନି ଜଣଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ପୁଲିସ ଗିରଫ କରିଛି ।

ସେ ସମୟରେ କଂଗ୍ରେସର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଧୋବେଇ ପୋଢଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଥିବା ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ପୂର୍ବରୁ ସ୍ଥାନୀୟ କୋର୍ଟ ଓ ପରେ ହାଇକୋର୍ଟ ପୁଲିସ ଚାର୍ଜସିଟ ଦାଖଲ କରିଥିବା ଲୋକ ମାନଙ୍କୁ ଖଲାସ କରିଦେଇଥିଲେ । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଏହାର ପୁନଃ ଶୁଣାଣି କରି ନଅ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

ତେବେ ସଜା ପାଇଥିବା ନଅ ଜଣଙ୍କର ଏହା ମଧ୍ୟରେ ମୃତ୍ୟୁ ହୋଇସାରିଥିବା ବେଳେ, ଜୀବିତ ଥିବା ତିନି ଜଣ ହେଲେ ଧୋବେଇ ପୋଢ, ପୂର୍ବତନ ବିଧାୟକ ପ୍ରସନ୍ନ ପାଲ ଓ ଆର୍ତତ୍ରାଣ ସିଂହଦେଓ । ପୋଢଙ୍କୁ ତାଙ୍କ ଗାଁ ପୁଇଁତଳା ବ୍ଲକର କୁରେଇବାହାଲ ଗ୍ରାମରୁ ଶୁକ୍ରବାର ଗିରଫ କରାଯାଇଥିବା ପୁଲିସ କହିଛି ।

ଓଡିଶା ଡଟ କମ

Exit mobile version