ଓଡିଶା ଡ଼ଟ୍ କମ୍ ସଂବାଦ ଦାତା
ରାଉରକେଲା, ମଇ ୧୯ (ଓଡିଶା ଡ଼ଟ୍ କମ୍), ଆଇସିଏସଇ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ରାଉରକେଲାର ସେଣ୍ଟ ଜୋସେଫେସ କନଭେଣ୍ଟ ସ୍କୁଲ ର ନିଧି ଅଗ୍ରୱାଲ ଭବିଷ୍ୟତରେ କର୍ପୋରେଟ ଓକିଲ ହେବା ଲକ୍ଷ୍ୟ ରଖିଛନ୍ତି ।
” ଆଜିକାଲି ସମସ୍ତେ ଇଞ୍ଜିନିୟରିଂ ,ମେଡିକାଲ ପଢିବା ପାଇଁ ଆଗ୍ରହୀ କିନ୍ତୁ ମୁ ଟିକେ ଅଲଗା ପଢିବାକୁ ଚାହୁଁଛି । ମୋ ବାପା ଜଣେ ବିଜନେସ ମ୍ୟାନ ।
ମୁ ବ୍ୟବସାୟ ସମ୍ପର୍କରେ କିଛି ଜ୍ଞାନ ରଖେ । କର୍ପୋରେଟ ଓକିଲ ହୋଇ ସେ କ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ମୋର ଆଗ୍ରହ ରହିଛି ।
ଭଲ ସଂସ୍ଥା ରେ ପଢିବା ପାଇଁ ମୁ ଏ ସଂକ୍ରାନ୍ତରେ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇସାରିଛି, ଅଗ୍ରୱାଲ ଓଡିଶା ଡ଼ଟ୍ କମ୍ କୁ ମଙ୍ଗଳବାର ଏକ ସାକ୍ଷାତକାର ରେ କହିଛନ୍ତି । ଏହା ହେଉଛି ମୋର ପସନ୍ଦ ର ବିଷୟ ।
ସଫଳତାର ଶ୍ରେୟ ନିଜ ବାପା, ମା, ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସେ ଦେଇଛନ୍ତି । ସ୍କୁଲ ସାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଓ ବାପା ମାଙ୍କ ପ୍ରେରଣା ତଥା ଦୁଇ ବର୍ଷର ପରିଶ୍ରମ ଯୋଗୁଁ ଆଜି ମୋତେ ସଫଳତା ମିଳିଛି ବୋଲି ସେ କହିଥିଲେ ।
“ମୁ ଦିନରେ ସାତ ଆଠ ଘଣ୍ଟା ପଢୁଥିଲି । ହେଲେ ବାଧ୍ୟ ବାଧକତାରେ ରେ ନୁହେଁ । ପାଠପଢା ମତେ ଖୁସିଦିଏ ଓ ମୁ ପଢିବାକୁ ଭଲ ପାଏ । ଅନ୍ୟମାନେ ଯେପରି ଗୀତ ଶୁଣିବାକୁ, ଖେଳିବାକୁ, ଟିଭି ଦେଖିବାକୁ ଭଲ ପାଆନ୍ତି ମୁ ସେପରି ପଢିବାକୁ ଭଲ ପାଏ ।” ସେ କହିଛନ୍ତି ।
“ଯେତେବେଳେ ମୁ ପାଠପଢାକୁ ନେଇ ସିରିୟସ ହେଇଯାଉଥିଲି, ସେତେବେଳେ ମୋ ବାପା ମତେ ମୁଭି ଦେଖିବାକୁ ନେଇଯାଉଥିଲେ। ମା ମଧ୍ୟ ପଢିବାରେ ମତେ ବହୁତ ସାହାଯ୍ୟ କରିଛନ୍ତି” ବୋଲି ନିଧି କହିଥିଲେ। ନିଧିଙ୍କ ପିତା ଜଣେ ବିଜନେସ ମ୍ୟାନ ଓ ମା ଜଣେ ଗୃହିଣୀ । ତିନି ଭଉଣୀ ଓ ଜଣେ ଭାଇଙ୍କ ଭିତରେ ନିଧି ହୋଉଛନ୍ତି ସାନ ।
ବଡ ଭଉଣୀ ବିବାହିତା, ସେ ଏମବିଏରେ ଗୋଲ୍ଡ ମେଡାଲ ପାଇଥିବା ବେଳେ ଆଉ ଜଣେ ଭଉଣୀ ବିସିଏ କରିଛନ୍ତି, ସେ ମଧ୍ୟ ବିବାହିତା । ଭାଇ ବିଟେକ ପଢୁଛି ।
ନିଧି କହିଥିଲେ ଯେ, ତାଙ୍କର ଆଶା ଥିଲା ସେ ୯୯ ପ୍ରତିଶତ ମାର୍କ ରଖିବେ ତେବେ ୯୮.୫୦ପ୍ରତିଶତ ମାର୍କ ପାଇ ବି ସେ ବେଶ ଖୁସି । ତାଙ୍କୁ ବ୍ୟାଡମିଣ୍ଟନ ଖେଳିବାକୁ ଭଲ ଲାଗେ ଓ ସୁଇମିଂ କରିବାକୁ ମଧ୍ୟ ସେ ଭଲ ପାଆନ୍ତି। ଫାଙ୍କା ସମୟରେ ସେ ଉପନ୍ୟାସ ପଢନ୍ତି ଓ ରୋଷେଇ ବି ତାଙ୍କର ବହୁତ ପସନ୍ଦ ।
“କେବଳ ମୁ ନୁହେଁ, ପାଠପଢା କୁ ଯିଏ ବି ଖୁସିରେ, ଆଗ୍ରହରେ, ପଢିବେ ସେ ନିଶ୍ଚେ ସଫଳତା ହାସଲ କରିପାରିବେ ” ଏହା ଥିଲା ନିଧିଙ୍କର ମତ ।
ଓଡିଶା ଡ଼ଟ୍ କମ୍
Leave a Reply