Site icon Odisha.com

ଭଗବାନ ଶିବଙ୍କ ନିର୍ବନ୍ଧ ସହ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ

ଓଡିଶା ଡଟ କମ: ଶାନ୍ତନୁ ବିଶ୍ଵାଳ

ସମ୍ବଲପୁର, ମଇ ୧୯ (ଓଡିଶା ଡଟ କମ) ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଉପରେ ଆଧାରିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ଠାରେ ବ୍ୟାପକ ଜନ ସମାଗମ ସହ ଆରମ୍ଭ ହୋଇଥିବା ଯାତ୍ରା ର ଜଣେ ଆୟୋଜକ ମଙ୍ଗଳବାର କହିଛନ୍ତି ।

ସୋମବାର ସହରର ନନ୍ଦପଡାରେ ଥିବା ବାଲୁଙ୍କେଶ୍ଵର ବାବାଙ୍କ ମନ୍ଦିରରେ ପୂଜା ଅର୍ଚନା ହୋଇଥିଲା ।

ଏହାପରେ ଚଳିତ ବର୍ଷ ବର ପିତା ମାତାଙ୍କ ଭୂମିକା ତୁଲାଉଥିବା ମୁରାରୀ ମିଶ୍ରଙ୍କ ପରିବାର ଦଳବଳ ସହ କନ୍ୟା ଅନ୍ଵେଷଣରେ ବାହାରି କନ୍ୟା ପିତାମାତାଙ୍କ ଭୂମିକା ତୁଲାଉଥିବା ସହରରୁ ଦଶ କିଲୋମିଟର ଦୂରରେ ଥିବା ଶାସନ ସ୍ଥିତ ଡାକ୍ତର ଅଶୋକ ନନ୍ଦ ଓ ତାଙ୍କ ପତ୍ନୀଙ୍କ ବାସ ଭବନରେ ପାରମ୍ପରିକ ରୀତିନୀତି ସହ ପହଞ୍ଚି ଥିଲେ ।

ଏହାପରେ ବରପିତା କନ୍ୟାପିତାଙ୍କୁ ସରଗି ପତ୍ର ଦେଇ ନିର୍ବନ୍ଧ କାର୍ଯ୍ୟ ତୁଲାଇଥିଲେ । ନନ୍ଦ ପରିବାର ସରଗି ପତ୍ର ଗ୍ରହଣ କରି ମାତା ପାର୍ବତୀଙ୍କ କନ୍ୟାଦାନ କରିବାକୁ ସଂକଳ୍ପ କରିଥିଲେ ।

ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମ୍ବଲପୁର ସହରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କର ବିବାହୋତ୍ସବ ଦେଖିବାକୁ ପ୍ରାୟ ସାତ ରୁ ଆଠ ଲକ୍ଷ ଲୋକ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଂଚଳରୁ ଆସିଥାନ୍ତି ।

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଏହି ବିବାହ ଉତ୍ସବ ଏବଂ ତା ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଇଥାଏ । ସହରର ଦୁଇଟି ପରିବାର ଭଗବାନ ଶିବଙ୍କ ପରିବାର ଓ ଦେବୀ ପାର୍ବତୀଙ୍କ ପରିବାରର ଭୁମିକା ତୁଲାଇ ପାରମ୍ପରିକ ଭାବେ ସେମାନଙ୍କର ବିବାହୋତ୍ସବର ଆୟୋଜନ କରିଥାନ୍ତି ।

ସହରର ବାସିନ୍ଦାମାନେ ମଧ୍ୟ ଅନୂରୁପ ଉଭୟ ପକ୍ଷର ଲୋକଭାବେ ନିଜକୁ ଚିହ୍ନଟ କରି ଉକ୍ତ ଉତ୍ସବରେ ଯୋଗଦେଇଥାନ୍ତି । ଅନ୍ୟ ହିନ୍ଦୁ ବିବାହ ଭଳି ନିର୍ବନ୍ଧ ଠାରୁ ଆରମ୍ଭ କରି ବରଯାତ୍ରୀ ଯିବା,ହାତ ଗଣ୍ଠି ପଡ଼ିବା ଇତ୍ୟାଦି ସମସ୍ତ ପାରମ୍ପାରିକ ବୈଦିକ ରୀତିନୀତିକୁ ଏହି ଉତ୍ସବରେ ଅନୁକରଣ କରାଯାଇଥାଏ ।

ଏହି ପର୍ବ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆୟୋଜିତ ହୋଇଥାଏ ,ତେବେ ତାହା ଏତେ ବ୍ୟାପକ ଆକାରରେ ନୁହେଁ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବରେ ଶହଶହ ମାଇଚିଆ ( ହିଞ୍ଜଡା) ଆସି ପହଂଚିଥିବାରୁ ଯାତ୍ରାର ଆକର୍ଷଣ ଦ୍ୱିଗୁଣିତ ହୋଇଛି ।

କୌଣସି ପୂଜାର୍ଚ୍ଚନା ମାଧ୍ୟମରେ ନୁହେଁ ବରଂ ନୃତ୍ୟଗୀତ ମାଧ୍ୟମରେ ମହାଦେବ ଠାକୁରଙ୍କ ସେବା କରିବା ଲାଗି ଏହି ମାଇଚିଆମାନେ ଏଠାକୁ ଆସିଥାନ୍ତି ଏବଂ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି ବୋଲି ଜଣେ କାର୍ଯ୍ୟକ୍ରମ ଆୟୋଜକ କହିଛନ୍ତି ।

ମୁଖ୍ୟତଃ ରାଜ୍ୟର ବଲାଙ୍ଗୀର, ଟିଟିଲାଗଡ, ବୌଦ, ସୋନପୁର, ବରଗଡ, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ ପଡେଶୀ ବିଳାସପୁରରୁ ଆସୁଥିବା ଏହି ମାଇଚିଆମାନଙ୍କ ଲାଗି ଯାତ୍ରା କମିଟି ଖାଦ୍ୟପେୟ ଓ ସାମୟିକ ରହଣୀର ବ୍ୟବସ୍ଥା କରୁଥିଲେ ମଧ୍ୟ ନିର୍ଦ୍ଧିଷ୍ଟଭାବେ କୌଣସି ପାରିଶ୍ରମିକ ଦେଇନଥାଏ ବୋଲି ସେ କହିଛନ୍ତି ।

ବିଗତ କିଛି ବର୍ଷ ହେଲା କେକେତ ଉଚ୍ଚ ଶିକ୍ଷିତ ମାଇଚିଆ ମଧ୍ୟ ଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି ।

ଭଗବାନ ଶିବ-ପାର୍ବତୀଙ୍କ ବିବାହୋତ୍ସବରେ ନୃତ୍ୟଗୀତ କରି ସେବାକଲେ ସେମାନଙ୍କ ଜୀବନର ସାଥର୍କ ଅଛି ଓ ମୋକ୍ଷପ୍ରାପ୍ତି ମିଳିବ । ତେଣୁ ପରବର୍ତ୍ତୀ ଜୀବନରେ ସେମାନେ ଆଉ ଏଭଳି ବିତସ୍ପୃହ ଜୀବନ ପାଇବେ ନାହିଁ ବୋଲି ବିଶ୍ୱାସ ରହିଥିବାରୁ ପ୍ରତିବର୍ଷ ଯାତ୍ରାବେଳେ ଶହ ଶହ ସଂଖ୍ୟାରେ ମାଇଚିଆ ଏଠାକୁ ଆସିଥାନ୍ତି ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version