ଓଡିଶା ଡଟକମ ସଂବାଦ ଦାତା
ଫୁଲବାଣୀ, ମଇ ୧୯ (ଓଡିଶା ଡଟ କମ) ମା’ ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଫୁଲବାଣୀରେ ମଙ୍ଗଳବାର ଆୟୋଜିତ ଏ ସଂପର୍କିତ ଏକ ଦିବସୀୟ କର୍ମଶାଳାରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି ।
କନ୍ଧମାଳ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମୀଳନି କକ୍ଷରେ ୟୁନିସେଫ୍ ସହଯୋଗରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପିପୁଲ୍ସ କଲଚରାଲ୍ ସେଣ୍ଟର (ପିକକ୍) ଏହି କର୍ମ ଶାଳାର ଆୟୋଜନ କରିଥିଲା ।
ପିକକର ସଂପାଦକ ରଂଜନ ମହାନ୍ତି ସଭାପତିତ୍ୱରେ ଏହି କର୍ଯ୍ୟକ୍ରମରେ ଅତିଥିଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ୍ତ କୁମାର ସାହାଣି, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ, ୟୁନିସେଫ୍ ର ଶ୍ରୀମତି ଅଳକା ଗୁପ୍ତା ଏବଂ ଡ଼. ମିନା ସୋମ୍ ଓ ବରିଷ୍ଠ ସାମ୍ବାଦିକ ଯତିନ୍ଦ୍ର ଦାଶ ଯୋଗ ଦେଇଥିଲେ ।
ପିକକ ସଂପାଦକ ରଂଜନ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରି ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକ ପାତ କରିଥିଲେ । ୟୁନିସେଫ୍ ର ଅଳକା ଗୁପ୍ତା ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ । ଡ. ମିନା ସୋମ୍ ମା’ନବଜାତ ଶିଶୁ ଦେଶ, ରାଜ୍ୟ ତଥା କନ୍ଧମାଳ ଜିଲ୍ଲାର ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତି ଶିଶୁ ମୃତ୍ୟୁହାର କନ୍ଧମାଳ ଜିଲ୍ଲାରେ ଅତି ଉଦବେଗଜନକ ଅବସ୍ଥାରେ ଅଛି ବୋଲି ମତବ୍ୟକ୍ତ କରିଥିଲେ । ଏହାକୁ ଦୂର କରିବାକୁ ହେଲେ ଗଣମାଧ୍ୟମ ଜନସଚେତନା ସୃଷ୍ଟିକରିବା ଆବଶ୍ୟକ ବୋଲି କହିଥିଲେ ।
ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଜତିନ୍ଦ୍ର କୁମାର ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ମା ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କର କାର୍ଯ୍ୟକ୍ରମର ବିଭିନ୍ନ ସୂଚନା ଦେଇଥିଲେ । ସରକାରଙ୍କର ଏହି ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ତଥା ସ୍ୱାସ୍ଥ୍ୟ ସଂପର୍କିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।
ବରିଷ୍ଠ ସାମ୍ବାଦିକ ଜତିନ୍ଦ୍ର ଦାଶ ତାଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ଅନ୍ୟ ଖବର ସହ ସମାଜରେ ହେଉଥିବା ବିଭିନ୍ନ ସକରାତ୍ମକ ପରିବର୍ତ୍ତନକୁ ସମାଜର ସାମ୍ନାକୁ ଆଣିବା ପାଇଁ ମଧ୍ୟ ଗଣମାଧ୍ୟମ ସଦା ସର୍ବଦା ଚେଷ୍ଟା କରିବା ଆବଶ୍ୟକ ।
କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ବିଭିନ୍ନ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏହି କାର୍ମଶାଳାରେ ଯୋଗ ଦେଇଥିଲେ । ଦୁଇଟି ଗାଁ ଯଥା ବଲସ୍କୁମ୍ପା ଓ ଅଡାବାଡି ପରିଦର୍ଶନ କରି ଗ୍ରାମ୍ୟ ସ୍ତରର ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ, ମା’ ଓ ଶିଶୁ ମାନଙ୍କ ସହିତ ସେମାନେ ସିଧା ସଳଖ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୁଲୁ ନାଥ ସାହୁ , ଜିଲ୍ଲା ସୁଚନା ଅଧିକାରୀ ବସନ୍ତ କୁମାର ମହାନ୍ତି ପ୍ରମୁଖ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା ଡଟ କମ