Site icon Odisha.com

ଚୌଦ୍ଵାରରେ ସ୍ଵୟଂଚାଳିତ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଓମଫେଡ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ) ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ( ଓମଫେଡ) ଖୁବ ଶୀଘ୍ର କଟକ ଜିଲ୍ଲାର ଚୌଦ୍ଵାର ଠାରେ ୨୮୫.୭୧ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସ୍ଵୟଂଚାଳିତ ଡାଏରୀ ପ୍ଳାଣ୍ଟ ପ୍ରତିଷ୍ଠା କରିବ ।

ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରି ମିଳିଥିବା ସଂସ୍ଥାର ଜେନେରାଲ ମ୍ୟାନେଜର ବସନ୍ତ କୁମାର ମିଶ୍ର କହିଛନ୍ତି । ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ସାମର୍ଥ୍ୟର ବିସ୍ତାର ଓ ନୂଆ ଅତ୍ୟାଧୁନିକ କାରଖାନା ସ୍ଥାପନ କରି ଦୁଗ୍ଧ ଉତ୍ପାଦନ ବଢାଇବା ପାଇଁ ଓମଫେଡ କତ୍ତୃପକ୍ଷଙ୍କୁ କହିଥିଲେ ।

ଓମଫେଡ ଅଧ୍ୟକ୍ଷ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏ ସଂକ୍ରାନ୍ତରେ ସରକାରଙ୍କୁ ଆବଶ୍ୟକ ପ୍ରସ୍ତାବ ଦେଇଥିଲେ ।

ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଛ କ୍ଷମତା ସଂପର୍ଣ କମିଟି ବୁଧବାର ମଞ୍ଜୁର କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓମଫେଡର ଦୁଗ୍ଧ ଉତ୍ପାଦନ ଦୈନିକ ପାଞ୍ଚ ଲକ୍ଷ ଲିଟରରୁ ବାର ଲକ୍ଷ ଲିଟରକୁ ବୃଦ୍ଧିପାଇବ । ଅଶୀ ଦଶକରେ ବେହେରା ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଥିଲେ ।

କ୍ଷମତା ବିସ୍ତାର, ଓ ନୂଆ ସ୍ଵୟଂଚାଳିତ ଡାଏରୀ କାରଖାନା ପ୍ରତିଷ୍ଠା କରିବା ପ୍ରସ୍ତାବ ସହ ଓମଫେଡ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଦୁଗ୍ଧ ଚାଷୀଙ୍କୁ ଦୁଗ୍ଧ ସମବାୟ ସଂସ୍ଥା ମାନଙ୍କରେ ପଞ୍ଜୀକୃତ କରାଇବା ଲକ୍ଷ୍ୟ ରଖିଛି ।

ପଞ୍ଜୀକୃତ ଦୁଗ୍ଧ ଚାଷୀଙ୍କ ସଂଖ୍ୟାକୁ ୨.୮ ଲକ୍ଷରୁ ପାଞ୍ଚ ଲକ୍ଷ କରିବା ଓ ଦୁଗ୍ଧ ସମବାୟ ସଂସ୍ଥାର ସଂଖ୍ୟାକୁ ୫୫୫୩ ରୁ ୭୦୦୦କୁ ବୃଦ୍ଧି କରିବା ମଧ୍ୟ ଯୋଜନା ଥିବା ସେ କହିଛନ୍ତି ।

ଓଡିଶା ଡଟ କମ

Exit mobile version