Site icon Odisha.com

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କେଦାର ମିଶ୍ର

ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପ୍‍ଚାପ୍‍ ବସିଯାଏ । ନିଜେ ନିଜେ ଗପର ଚରିତ୍ରମାନଙ୍କୁ ଖୋଜେ ।

ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି । ସେ ମନେପକାଏ ତା ଜେଜେ ମା’ର ପାକୁଆ ମୁହଁ । ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର । ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି । କଳ୍ପନା ଓ ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ ।

ସେ ଜୀବନକୁ ଯେମିତି ଦେଖେ ସେମିତି ଗପ ଲେଖେ । ଗପ ଲେଖିଲେ ଛପା ହେବ, ସେ ଗପ ସବୁକୁ ନେଇ ବହି ବାହାରିବ, ତା ଫଟୋ ଖବରକାଗଜରେ ବାହାରିବ- ଏତେ କଥା ସେ ଜାଣିନଥାଏ ।

ନିଜ ସରଳ ଅନ୍ଧାର ଭିତରେ ଗପର ଜୀବନଟି ସେ ବଞ୍ଚୁଥାଏ । ନିଜ ପ୍ରତିଭା ଓ କଳ୍ପନା ପ୍ରତି ଆଦୌ ସଚେତନ ନଥିବା ଆଦିବାସୀ ଝିଅଟି ଜାଣେନାହିଁ ଯେ ସେ ତା ସମାଜ ଓ ସମୟ ପାଇଁ ଏକ ବିପ୍ଲବ ସୃଷ୍ଟି କରିଛି । ପୁରୁଣା ସ୍ମୃତି ଓ କଳ୍ପନାରୁ ସେ ଯେଉଁ ଗପ ସବୁ ଛାଣି ଆଣିଛି ସେ ଗପ ଆଗାମୀ ଦିନରେ ତା ନିଜ ଲୋକଙ୍କ ପ୍ରାଣ ସ୍ପନ୍ଦନ ପାଲଟିଯିବ ।

ଆଜି ନହେଲେ କାଲି ସାହିତ୍ୟର ମୁରବୀମାନେ ସ୍ୱୀକାର କରିବେ ଯେ ଏମିତି ଗପ ସହରରେ ରହି ଲେଖାଯାଇପାରେନା । ଗପର କାରିଗରୀ ଓ କଳାକୌଶଳ କେବଳ ବହି ପଢ଼ିଲେ ଆସେ ନାହିଁ, ଏହା ଆସେ ଜୀବନର ଗଭୀର ଅନୁଭବରୁ । ଜୀବନର ଅନ୍ଧାର ଓ ବାଟଭୁଲା ଦୁଃଖ ଭିତରେ ଗପ ତିଆରି ହୁଏ । ସେ ଗପ ତିଆରି କରୁଥିବା ଝିଅଟିର ନାଁ ବାସନ୍ତୀ ମାଝୀ ।

ନାମ – ବାସନ୍ତୀ ମାଝୀ, ଠିକଣା – ସେବାଭାରତୀ, ତୁମୁଡିବନ୍ଧ, କନ୍ଧମାଳ, ବୃତ୍ତି – ଘରକାମ କରୁଥିବା ଜଣେ ସାଧାରଣ ଝିଅ । ସକାଳୁ ଉଠି ଝାଡୁ କରିବା, ବାସନବର୍ତ୍ତନ ମାଜିବା, ରୋଷେଇ କରିବା, ଅଳିଆ ସଫା କରିବା ଓ ଦିନସାରା ଖଟିବାରେ ତା ଦିନ ସରିଯାଏ । ଦେଖିବାକୁ ନହନହକା ପତଳା, ବୟସ ଲାଗେ ୨୦ ରୁ କମ୍‍ ।

ଅସଲରେ କେବେଠୁ ତାର ବାହାଘର ସରିଛି । ତା ବର ମରିଯାଇଛି ଗୋଟେ ଅଜଣା ରୋଗରେ । ଛୋଟଛୋଟ ପିଲାଙ୍କୁ ନେଇ ନିଜ ସଂସାର ଚଳାଇବାକୁ ସେ ଚାକିରୀ କରୁଛି ସେବାଭାରତୀ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ । ବାସନ୍ତୀ ସହିତ ସେଠି ମୋର ଦେଖା ।

ଏତେ ଚୁପ୍‍ଚାପ୍‍ ଝିଅ ଯେ ତାକୁ ଦେଖିଲେ ଲାଗିବ, ଯେମିତି ସବୁ ନିରବତା ତାରି ଆଖିରେ ଠୁଳ ହୋଇଛନ୍ତି । କେମିତି ଗୋଟେ ଉଦାସ ଓ ସ୍ଥିର ତାର ଆଖି ଦୁଇଟି । କାମ କରୁ କରୁ ଟିକିଏ ସମୟ ପାଇଲେ ବହି କି ଖାତା ଧରି ସେ ବସି ଯାଉଛି । ମୋର କୌତୁହଳ ବଢ଼ିଲା । କିଏ ଏଇ ଝିଅଟି ? କରେ କ’ଣ ? କ’ଣ ସବୁ ଲେଖୁଛି ?

ଏସବୁ ପ୍ରଶ୍ନର ଉତ୍ତର ମିଳିଲା ବିଶିଷ୍ଟ ଲୋକତତ୍ତ୍ୱବିତ୍‍ ତଥା କନ୍ଧମାଳର ଜନଜୀବନକୁ ନେଇ ବେଶ୍‍ ତତ୍ପରତାର ସହ ଅଧ୍ୟୟନ କରିଥିବା ଐତିହାସିକ ରଘୁନାଥ ରଥଙ୍କ ଠାରୁ । ରଘୁ ବାବୁ ବାସନ୍ତୀ ବିଷୟରେ ଯାହା ସବୁ କହିଲେ, ତାହା କୌଣସି କାହାଣୀଠାରୁ କମ୍‍ ନୁହେଁ ।

କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

କୁହୁକ ନଦୀର ତୀରେ :

ମୋର ମନେପଡୁଛି ବାସନ୍ତୀ ସହ ମୋର ଦେଖା ହୋଇଥିଲା ପ୍ରାୟ ୪ ବର୍ଷ ତଳେ । କନ୍ଧମାଳ ଦଙ୍ଗାର ପ୍ରାୟ ବର୍ଷେ ପରେ । ପ୍ରମୋଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସେବା ଭାରତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଏକ ତାଲିମ୍‍ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥାଏ । ସେଠି ବାସନ୍ତୀ ସହ ପ୍ରଥମ ଦେଖା ।

ସେତେବେଳେ ତାର ଗପ ଲେଖାଖୁବ୍‍ ଜୋର୍‍ରେ ଚାଲିଥାଏ । ରଘୁନାଥ ରଥ ତାର ଗପ ସବୁକୁ କୁଇରୁ ଓଡିଆକୁ ଅନୁବାଦ କରୁଥାନ୍ତି । ମୁଁ ବାସନ୍ତୀକୁ ପଚାରିଥିଲି, ‘ତମେ ଗପ ଲେଖିଲ କେମିତି ? ବାସନ୍ତୀର ଉତ୍ତର ଥିଲା ଗପ ବୋଇଲେ କିସ ଆଜ୍ଞା ? ମୁଁ ମୋ ବୁଢ଼ୀ ମା ପାଖରୁ ଯାହା ଶୁଣିଥିଲି ଓ ଗାଁ ଲୋକ ଯାହାସବୁ କୁହନ୍ତି ତାକୁ ଲେଖି ପକେଇଛି ।’ ସତରେ ବାସନ୍ତୀର ଗପରେ କୌଣସି ଖାଦ ନାହିଁ । ସବୁଗୁଡିକ ନିର୍ମଳ ଜୀବନ ।

କନ୍ଧମାଳର ପାଣି, ପବନ, ଝୋଲା, ଡଙ୍ଗର୍‍, ମାଣ୍ଡିଆ କ୍ଷେତ, ହଳଦୀ ପତ୍ର, ବଣଭାଲୁ, ଶୁଆ, ବାଘ, ହାତୀ ଓ ମଣିଷମାନେ ତା ଚରିତ୍ରର କେନ୍ଦ୍ରବିନ୍ଦୁ । ତା ଗପରେ ଶାଗୁଣାଟିଏ ଛୋଟ ପିଲାକୁ ମା ପରି ପାଳିପାରେ । ଦୂର ଗାଁରୁ ବିସ୍କୁଟ୍‍ କିଣି ଆଣିଦେଇପାରେ । ଏମିତି ବି ହେଇପାରେ ଯେ କନ୍ଦମୂଳ ଲତା ତଳେ ସାନ ଝିଅଟେ ଜନ୍ମ ହେଇପାରେ । ଝୁଡଙ୍ଗ ବିଡା ଭିତରୁ ହଠାତ୍‍ ଝିଅଟେ ଡେଇଁପଡି ଘର ଓଳେଇବା ଆରମ୍ଭ କରିପାରେ । ବଡ ଅଦ୍ଭୁତ ଗପର ଗଢ଼ଣ । ବଡ ବିଚିତ୍ର ଚରିତ୍ରମାନଙ୍କର ଗତି । ସବୁ ଗପର ଶେଷରେ ଏକ ଚମକ୍‍ପ୍ରଦ ପରିସମାପ୍ତି ।

ଆଧୁନିକ ପୃଥିବୀର ସାହିତ୍ୟରେ ଏପ୍ରକାର ଗପକୁ କୁହୁକ ବାସ୍ତବତା ବା ମ୍ୟାଜିକ୍‍ ରିୟାଲିଜିମ୍‍ର ଗପ ବୋଲି କୁହାଯାଏ । ଲାଟିନ୍‍ ଆମେରିକାର ମହାନ୍‍ କଥାଶିଳ୍ପୀ ତଥା ନୋବେଲ୍‍ ପୁରସ୍କାର ବିଜେତା କଥାକାର ଗାବ୍ରିଏଲ୍‍ ଗାର୍ସିଆ ମାକ୍ୱେର୍ଜ୍‍ଙ୍କ ଲିଖନ ଶୈଳୀ ଏପ୍ରକାର ।

ମାକ୍ୱେର୍ଜ୍‍ଙ୍କ ଗଳ୍ପର ଧାରାରେ କୁହୁକ ଯେତିକି ଜୀବନର ବାସ୍ତବତା ସେତିକି । କୁହୁକ ବାସ୍ତବତାକୁ ନେଇ ଗପ ଲେଖିଥିବା ଅନେକ ବଡ ବଡ ଲେଖକଙ୍କୁ ଆମେ ଜାଣିଛୁ । ଯେମିତି ଜର୍ଜ ଲୁଇବୋରେ ବା ଲୋସା । ଏମାନେ ବଡ ବଡ ଲେଖକ ବହୁ ପୁରସ୍କାର ପାଇଛନ୍ତି ।

ବାସନ୍ତୀ ମାଝୀ ଏମାନଙ୍କ ଆଗରେ କୁଟାଖିଅଟିଏ ମାତ୍ର । ଅଥଚ ସାହିତ୍ୟର ମାପ କାଠିରେ ଲାଗିପାରେ ବାସନ୍ତୀ ମାଝୀ ଏମାନଙ୍କ ସମଗୋତ୍ରୀୟ । ଲାଟିନ୍‍ ଆମେରିକାର ଜନଜାତି ଓ ସେମାନଙ୍କ ଜୀବନକାହାଣୀ ଆଧାରରେ ଯେଉଁ କୁହୁକ ବାସ୍ତବତା ନିର୍ମିତ ହୋଇଥିଲା, ତାହା ଓଡିଶାର କନ୍ଧମାଳ ଜିଲ୍ଲାରେ ଗୋଟେ ଅଲଗା ରୂପ ନେଇ ବଢ଼ି ଉଠୁଛି ।

ଏଠି ସାହିତ୍ୟ ବୌଦ୍ଧିକତାର କଳାକୌଶଳ ନୁହେଁ, ବରଂ ଏଠି ସାହିତ୍ୟ ହେଉଛି ଜୀବନର ଏକୁଟିଆ ଓ ନିଛାଟିଆ ସ୍ୱର ଲିପି । ବାସନ୍ତୀ ମାଝୀ ହୁଏତ ମାକ୍ୱେର୍ଜ୍‍ ନୁହଁନ୍ତି । ହେଲେ ସାହିତ୍ୟରେ ବାସନ୍ତୀ ମାଝୀର ଏକ ନିଜସ୍ୱ ସ୍ୱର, ଶୈଳୀ ତଥା ପରିଚୟ ରହିଛି । ଏପରିକି ଓଡିଆ ସାହିତ୍ୟର ବିଶିଷ୍ଟମାନଙ୍କ ଗହଣରେ ବାସନ୍ତୀ କେବେ ଆସି ବସେ ନାହିଁ । ତାକୁ ଓଡିଆ ସାହିତ୍ୟିକମାନେ ଜାଣି ବି ନଥିବେ ।

ଇତିମଧ୍ୟରେ କେବେ କେମିତି ଖବରକାଗଜରେ ବାସନ୍ତୀ ମାଝୀର ଜୀବନକାହାଣୀ ଓ ତା ଗପର ଚର୍ଚ୍ଚା ହୋଇଛି । ତାହା କିନ୍ତୁ ଯଥେଷ୍ଟ ନୁହେଁ ।

ଗପ ପରି ଏକ ଜୀବନ :

ବାସନ୍ତୀର ଜୀବନ କାହାଣୀ ଗପଟିଏ । ସେ ସାଧାରଣ କୁଇ ଝିଅଟିଏ ହୋଇ ଜନ୍ମ ହୋଇଥିଲା । ତା ଜେଜେ ବାପାଙ୍କର ତିନୋଟି ସ୍ତ୍ରୀ । ତା ମଝିଅାଁ ଜେଜେ ମା’ ଭାରି ସୁନ୍ଦର ଗପ କହୁଥିଲା । ବାସନ୍ତୀ କହେ, ‘ଏବେ ବି ତାର ଗପ ସବୁ ସେଇ ମଝିଆ ଜେଜେ ମାର ଦାନ ।’ ବାସନ୍ତୀ କିନ୍ତୁ ଚାହୁଁଥିଲା ପାଠ ପଢ଼ିବ ।

ଗାଁ ପାଖରେ ସ୍କୁଲ ନଥିଲା । ପ୍ରାଥମିକ ଶିକ୍ଷା ପରେ ତାର ପାଠପଢ଼ା ବନ୍ଦ ହେଲା । ଟିକିଏ ବଡ ହେବାରୁ ଗୋଟିଏ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାକୁ କାମ ମିଳିଲା । ସେହିଠି ଦେଖାହୁଏ ବାସନ୍ତୀର ଜୀବନସାଥୀ ସହ । ସେହି ସଙ୍ଗଠନର ତାଙ୍କ ନିଜ ଜାତିର ପିଲାଟିଏ ତାକୁ ଭଲପାଇଲା ।

ତେବେ କୁଟିଆ କନ୍ଧ ପ୍ରଥା ଅନୁଯାୟୀ ଝିଅକୁ ପୁଅ ଉଠେଇ ନେଲେ ଯାଇ ବାହାଘର ହେବ । ପିଲାଟି ବାସନ୍ତୀ ପ୍ରତି ଯେତିକି ଦୂର୍ବଳ ବାସନ୍ତୀ ପ୍ରେମ ପ୍ରତି ସେତିକି ଅନାସକ୍ତ । ବାସନ୍ତୀ ସେ ପିଲାକୁ ବିଲ୍‍କୁଲ୍‍ ଧରାଛୁଅାଁ ଦେଉନଥିଲା । ସେ ଯେତେ ଚେଷ୍ଟା କଲେ ମଧ୍ୟ ବାସନ୍ତୀ ତାକୁ ବାହାହେବା ପାଇଁ ସୁଯୋଗ ଦେଉନଥିଲା ।

ବହୁ ପରିଶ୍ରମ ଓ ଅପେକ୍ଷା ପରେ ବାସନ୍ତୀ ମାନିଲା । ବାହାଘର ହେବାର ଅଳ୍ପ କେଇ ବର୍ଷ ପରେ ବାସନ୍ତୀର ବର ଏକ ଅଜଣା ରୋଗରେ ମୃତୁ୍ୟବରଣ କଲା । ତା ପରଠୁ ବାସନ୍ତୀ ଏକାକୀ । ନିଜ ଜୀବନ ପାଇଁ ଜୀବିକା ବାଛିବା ସହିତ ସେ ଜୀବନସାଥୀ ଭାବରେ ବାଛିନେଲା ଗପ ଲେଖିବାର ପ୍ରବଣତାକୁ । ସେ ଗପ ଲେଖିଲା ଓ ଲେଖି ଚାଲିଲା ।

ତା ଗପ ଲେଖିବାର ଆଗ୍ରହ ଦେଖି ସେବାଭାରତୀର ପ୍ରତିଷ୍ଠାତା ପ୍ରମୋଦ ପଟ୍ଟନାୟକ ତାକୁ ଉତ୍ସାହ ଦେଲେ । ଦିନ ଆସିଲା ବାସନ୍ତୀର ଗପ ବହିଟେ ହୋଇ ପ୍ରକାଶ ପାଇବାର ଯୋଜନା ଚାଲିଲା ।

ବାସନ୍ତୀର ଗପଖାତା :

ଗପ ଶୁଣୁଶୁଣୁ ବାସନ୍ତୀ ନିଜେ କେତେବେଳେ ଗପଟିଏ ହେଇଗଲା ତାହା ତାକୁ ବି ଜଣାନଥିଲା । ସେ ଯେଉଁ କଳ୍ପନାର କାହାଣୀ ସବୁ ଶୁଣିଥିଲା ସେ କାହାଣୀ ସବୁ ତା ଜୀବନରେ ଗୋଟି ଗୋଟି ହୋଇ ସତ ହେବା ଆରମ୍ଭ କଲେ । କାହାଣୀରେ ଅଦ୍ଭୁତ, ବିଚିତ୍ର ଓ ଆଶ୍ଚର୍ଯ୍ୟଜନକ ଲାଗୁଥିବା ଚରିତ୍ରମାନେ ତାର ଦୁଃଖକୁ ଭିନ୍ନ ଭିନ୍ନ ବାଗରେ କହିବା ଆରମ୍ଭ କଲେ ।

ସେ ଗପସବୁ ଗୋଟିଏ ଲମ୍ବା ଖାତାରେ ଟିପା ହୋଇ ରହିଲା । ଗପ ସବୁ ଲେଖା ହେଉଥିଲା ତା ନିଜ ଭାଷାରେ । ବାସନ୍ତୀର ନିଜ ଭାଷା କୁଇ । ଓଡିଶା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଚିଶ ଲକ୍ଷରୁ ଅଧିକ ଜନସାଧାରଣ ଏହି ଭାଷା ବ୍ୟବହାର କରନ୍ତି ।

ତେବେ ଏହି ଭାଷାକୁ ମାନ୍ୟତା ଦେବା ବା ବୁଝିବା ପାଇଁ ଆମମାନଙ୍କ ସମୟ ନଥାଏ । ଓଡିଆ ଭାଷା ସୁରକ୍ଷା ପାଇଁ ଆନେ୍ଦାଳନ କରୁଥିବା ଓଡିଶାର ନାମୀଦାମୀ ଲୋକମାନେ ଜାଣନ୍ତି ନାହିଁ ଯେ ଆମ ରାଜ୍ୟରେ ଆହୁରି ଏମିତି କିଛି ଭାଷା ଅଛି ଯେଉଁମାନେ ନିଜର ଅସ୍ତିତ୍ୱକୁ ନେଇ ସଂଘର୍ଷ କରୁଛନ୍ତି ।

ସେହି ଭାଷାମାନଙ୍କ ମଧ୍ୟରେ ସାନ୍ତାଳି, କୁଇ, ପରଜା ଓ ମୁଣ୍ଡାରୀ ପରି ଜନଗୋଷ୍ଠୀର ଭାଷା ରହିଛି । ମୂଳରୁ ଏମାନଙ୍କୁ ଭାଷା ଭାବରେ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୋହୁଁ । ଉପେକ୍ଷିତ ମଣିଷର ଭାଷାରେ ବାସନ୍ତୀ ମାଝୀ ନିଜର ଗପ ଲେଖିଛନ୍ତି ।

ଏହି ସବୁ ଗପକୁ ଓଡିଆରେ ଅନୁବାଦ କରି ଏପ୍ରିଲ୍‍ ୨୦୧୧ରେ ପ୍ରକାଶ ପାଏ ବାସନ୍ତୀର ପ୍ରଥମ ଓ ଏକମାତ୍ର ବହି ‘କୁଟିଆ କନ୍ଧ ଲୋକକାହାଣୀ’ । ଜଣେ ସାଧାରଣ ଆଦିବାସୀ ଝିଅର ଗପ ବହିକୁ ନେଇ ଗଣମାଧ୍ୟମରେ କିଛିଟା ଆଗ୍ରହ ପ୍ରକାଶ ପାଏ ।

ଜାତୀୟ ସ୍ତରରେ ଦ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ , ଦ ହିନ୍ଦୁ ଭଳି ଖବରକାଗଜ ବାସନ୍ତୀର ସାହିତ୍ୟିକ ପ୍ରତିଭା ବିଷୟରେ ଆଲେଖ୍ୟ ଛାପନ୍ତି । ତଥାପି ଆମ ସାହିତ୍ୟର ମଙ୍ଗୁଆଳମାନଙ୍କ ଦୃଷ୍ଟି ବାସନ୍ତୀ ମାଝୀ ଉପରେ ପଡେ ନାହିଁ । ଉଚ୍ଚପଦବୀ, ମୋଟା ବେତନ ଓ ମହାର୍ଘ ପୁରସ୍କାର ପାଉଥିବା ଲେଖକମାନଙ୍କ ପ୍ରେମରେ ଆମ ସାହିତ୍ୟ ଏତେ ଅନ୍ଧ ଯେ ସେଠି ଜଣେ ସାଧାରଣ କୁଇ ଭାଷାଭାଷୀ ଝିଅର ପ୍ରତିଭାର କିଛି ମୂଲ୍ୟ ନାହିଁ ।

ବେବି ହାଲ୍‍ଦାର ଓ ବାସନ୍ତୀ ମାଝୀ :

ପ୍ରାୟ ସାତ ଆଠ ବର୍ଷ ତଳେ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ଏକ ଚର୍ଚ୍ଚିତ ନାଁ ଥିଲେ ବେବି ହାଲ୍‍ଦାର । ଜଣେ ସାଧାରଣ ଗୃହ କର୍ମଚାରୀ (ଯାହାକୁ ଅବଜ୍ଞା ସୂଚକ ଭାବରେ ଆମେ ଚାକରାଣୀ ବୋଲି କହିଥାଉ) ଭାବରେ କାମ କରୁଥିବା ବେବି ହାଲ୍‍ଦାରଙ୍କ ଜୀବନକାହାଣୀ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ।

ବେବି ନିଜ ଜୀବନର ବ୍ୟଥା ଓ ବେଦନାକୁ ଅକପଟ ତଥା ସରଳ ଭାଷାରେ ଲେଖିଥିଲେ । ତାଙ୍କର ଆତ୍ମଜୀବନୀ ‘ଆଲୋ ଅନ୍ଧାରି’ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସ୍ଥାନ ପାଇଥିଲା । ତା’ପରଠୁ ବେବି ଦେଶର ପ୍ରମୁଖ ସାହିତ୍ୟ ଉତ୍ସବ ଓ ସାହିତ୍ୟ ସଙ୍ଗଠନଗୁଡିକରେ ବେଶ୍‍ ଆକର୍ଷଣ ପାଲଟିଥିଲେ ।

ଓଡିଶାର ଏକ ନାମୀ ପ୍ରକାଶନ ସଂସ୍ଥା ବେବିଙ୍କର ପୁସ୍ତକ ପ୍ରକାଶ କରିଛି । ସେହି ସମାନ ପୃଷ୍ଠଭୂମି ଓ ପ୍ରତିଭା ଥାଇ ମଧ୍ୟ ବାସନ୍ତୀ ମାଝୀ ଓଡିଶାରେ ଅବହେଳିତ । ବାସନ୍ତୀଙ୍କର ସମସ୍ୟା ହେଉଛି ସେ କନ୍ଧମାଳର ବାସିନ୍ଦା ଓ ଜନଜାତିର ପ୍ରତିନିଧି ।

ସମାଜରେ ଅବହେଳିତ ବର୍ଗ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରିବେ ବୋଲି ଆମର ବ୍ରାହ୍ମଣବାଦୀ ମଗଜରେ ବିଶ୍ୱାସ ଜନ୍ମେନାହିଁ । ସେଥିପାଇଁ ବାସନ୍ତୀ ମାଝୀଙ୍କୁ ସାହିତ୍ୟ ଏକାଡେମୀ ବା ସାହିତ୍ୟ ଉତ୍ସବମାନଙ୍କରେ ସାମିଲ୍‍ କରିବାର ଚିନ୍ତା ମଧ୍ୟ ଆମେ କରିପାରୁ ନାହୁଁ । ବାସନ୍ତୀ ସାହିତ୍ୟକୁ ନେଇ ନିଜେ କୌଣସି ଅଭିଳାଷପୋଷଣ କରନ୍ତି ନାହିଁ ।

ସେ ନିଜେ ଜାଣନ୍ତି ନାହିଁ ସେ ଯାହା ଲେଖୁଛନ୍ତି ତାହା ସାହିତ୍ୟ କି ନୁହଁ । ନିଜ ଜୀବନକୁ କାଗଜକଲମରେ ଉତ୍ତାରି ଦେବାର ପ୍ରବଣତାରୁ ତାଙ୍କର ଗପ ଜନ୍ମ ନେଇଛି । ସେ ଗପ ଉଚ୍ଚାଙ୍ଗ ସାହିତ୍ୟ ହେଉ କି ନହେଉ ତାହା ଜୀବନର ସାହିତ୍ୟ ନିଶ୍ଚୟ । ସେହି ସାହିତ୍ୟକୁ ଯେଉଁ ଜାତି ଅସ୍ୱୀକାର କରେ ସେ ଜାତିର ସାହିତ୍ୟ ଯେତେ ମର୍ଯ୍ୟାଦା ସମ୍ପନ୍ନ ହେଲେ ମଧ୍ୟ ପ୍ରାଣହୀନ । ବାସନ୍ତୀ ମାଝୀଙ୍କର ଗପ ଓଡିଆ ଜନଜୀବନରେ ଏକ ନୂଆ ଆନେ୍ଦାଳନର ଆଭାସ ।

ବାସନ୍ତୀ ମାଝୀଙ୍କ ଦୁଇଟି ଗପ

କନ୍ଦାର ଝିଅ ଜନମ

ଗୋଟିଏ ଗାଁ ଥିଲା । ସେହି ଗାଁରେ ଗୋଟିଏ ବହୁତ ଗରିବ ଲୋକ ଥିଲା । କେତେ ଚାଷ କଲେ ମଧ୍ୟ ଫସଲ ହେଉନାହିଁ । ଖାଲି କନ୍ଦା ଫଳମୂଳ ଖାଇ ବଞ୍ଚୁଥିଲା । କାମ ନକଲେ ଖାଇବାକୁ ମିଳେନାହିଁ । ସେହିଦିନ ଉପାସରେ ରହିଥିଲେ ।

ପୁଅର ନାଁ ସୁଧୀର । ବାପା, ମା’ ଜଙ୍ଗଲକୁ ଯାଆନ୍ତି । ସୁଧୀର ଘରେ ରହେ । ଦିନେ ବାପା ମା’ ଜଙ୍ଗଲକୁ କନ୍ଦା ଖୋଳିବାକୁ ଗଲେ । ଚାରିଆଡେ ଖୋଜାଖୋଜି କଲେ । କନ୍ଦା କେଉଁଠି ବି ପାଇଲେ ନାହିଁ । ରାତି ହୋଇ ଆସିଲା । ସେ ଆଉ ଘରକୁ ଗଲେ ନାହିଁ । ସେହି ଜଙ୍ଗଲରେ ହିଁ ଶୋଇଲେ ।

ସକାଳ ହେଲା ପୁଣି କନ୍ଦା ଖୋଜିବାକୁ ଲାଗିଲେ । ସୁଧୀର ଭାରିବ୍ୟସ୍ତ , ବପା ମା ଆସିଲେ ନାହିଁ କାହିଁକି ? ଆହୁରି ସକାଳ ହେଲା କନ୍ଦା ଖୋଜିବାକୁ ଲାଗିଲେ । ଗୋଟିଏ ଗଛରେ ଲଟା ମାଡିଛି ବୋଲି ତାର ସ୍ତ୍ରୀକୁ ଡାକିଲା । ଆଉ ଖୋଳିବାକୁ ଲାଗିଲେ । ଖୋଳୁ ଖୋଳୁ କନ୍ଦା ବାହାରିଲା ।

କନ୍ଦାକୁ ବାଡିରେ କାଢ଼ୁଛି । କନ୍ଦା କହୁଛି ମାଆ ମୋତେ ଧିରେ ଧିରେ କାଢ଼େ ମୋତେ କାଟୁଛି । ତାର ସ୍ତ୍ରୀ ଅଧା ବାଟଯାଏ ଗଲା । ମଲେ ମରିବା ଚାଲ ବୋଲି କହିଲା । ଆହୁରି ସେମାନେ କାଢ଼ିବାକୁ ଲାଗିଲେ ।

ମୋତେ ଘର ଭିତରେ ରଖିବୁ କାହାକୁ ଦେଖେଇବ ନାହିଁ । ଯେତେବେଳେ କବାଟ ଠକ୍‍ ଠକ୍‍ କରିବି ସେତେବେଳେ କବାଟ ଖୋଲିବ ବୋଲି କହିଲା । କିଏ ନଯିବା ଘରେ ବନ୍ଦ କରିବ ବୋଲି କହିଲା । କାମ କରିବାକୁ ଗଲେ ସେତେବେଳେ ଆମ୍ବ ଟାଙ୍କୁ ବାଡେଇବାକୁ ଲାଗିଲେ ।

ଏମିତି ସାତଦିନ ବିତିଗଲା । କନ୍ଦା ଆଣିଥିବା ବାର ପହଞ୍ଚିଲା । ଦିନ ୧୨ ଘଣ୍ଟା ହେଲା କବାଟ ଠକ୍‍ ଠକ୍‍ ହେଲା । ପୁଅ ଭୋକରେ ବଖରାରେ ଶୋଇପଡିଥିଲା । ପୁଅ ପାଣି ପିଇବି ବୋଲି ଚଟ୍‍କିନା ଉଠି ପଡିଲା । ଆମ ଘରେ କବାଟ ଠକ୍‍ ଠକ୍‍ କରି କିଏ ବାଡଉଛି ବୋଲି ପଚାରିଲା ।

କବାଟ ଖୋଲି ଦେଖିଲା ବେଳକୁ ଲଣ୍ଠନ ପରି ଜଳୁଛି । ପୁଅ ଆଶ୍ଚର୍ଯ୍ୟ ହୋଇ ଧାଇଁଗଲା । ଆଉ ପୁଣିଥରେ ଘରକୁ ଗଲା । ଘର ଭିତରେ ଦେଖିଲା ବେଳେ ଗୋଟିଏ ଝିଅ ଠିଆ ହୋଇଛି । ପୁଅ ବାଧ୍ୟ ହୋଇ ଘର ଭିତରେ ପଶିଲା । ହେ ପ୍ରଭୁ ଆପଣ କୁଆଡୁ ଆସିଲ ବୋଲି ପଚାରିଲା ।

ଝିଅ କହିଲା ତମ ମାଙ୍କୁ ପଚାର । ମା ଏହି ଝିଅକୁ କୁଆଡୁ ଆଣିଛ ବୋଲି ପଚାରିଲା । ମାଆ ବାପା କନ୍ଦା ରଖିଥିବା ଘରକୁ ଧାଇଁଲେ । ଘର ଭିତରେ ଗୋଟିଏ ଝିଅ ବସିଛି । ସେହି ଝିଅ ଲାଜରେ ମୁହଁ ପୋତିଲା । ଘୁରି ଚାରିଆଡେ ଅନେଇଲା ବେଳେ ସୁନାର ବାସନକୁସନ, ଧନସମ୍ପତ୍ତି ପରିପୂର୍ଣ୍ଣ ହୋଇଛି ।

ସେ ସବୁ ଜିନିଷପତ୍ର ଦେଖି ବଡ ଖୁସିରେ କଥାବାର୍ତ୍ତା ହେଲେ । ମାଆ ଆଜିଠୁ ତୁମର କୌଣସି ଅସୁବିଧା ହେବନାହିଁ । ଖାଇପିଇ ଖୁସିରେ ରୁହନ୍ତୁ । ସେଠୁ ତିନିଜଣଯାକ ହସି ହସି ଖୁସିରେ ଚଳିଲେ । ତୁମ୍ଭଙ୍କୁ ଦେଖି ଆମର ଭୋକଶୋଷ ଜମା ନାହିଁ । ଭଲ ଖାଦ୍ୟ ମିଳିଲା । ଦିନେ ମା ବାପା ସୁଧୀର କୁଆଡେ ବୁଲିବାକୁ ଯାଇଥିଲେ । ସେହି ସମୟରେ ଜଣେ ରାଜା ମାଗିବାକୁ ଯାଉଥିଲେ ।

ଭିକ୍ଷା ନେବା ସମୟରେ ହାତ ଧରିକି ଘୋଡାରେ ବସେଇକି ନେଇଗଲେ । ସେମାନେ ଘରକୁ ଫେରି ଦେଖିଲା ବେଳେ ଆଉ ସୁଧୀର ବୋହୁ ନାହିଁ । ଚାରିଆଡେ ଖୋଜାଖୋଜି ଚାଲିଲା କୁଆଡେ ହେଲେ ପାଇଲେ ନାହିଁ । ପାରା ଗୋଟିଏ ପୋଷିଥିଲେ । ଗୋଟିଏ ଘରେ ସେହି ଝିଅ କାନ୍ଦିାବରେ ଲାଗିଲା । ପାରା ସେହି ଘରକୁ ଗଲା ସମସ୍ତଙ୍କୁ କହିଲା ସେଥିପାଇଁ ସମସ୍ତେ ମିଶିକି ଗଲେ । ସେ ଘିଅକୁ ଧରି ଆସି ଖୁସିରେ ରହିଲେ ।

ଝୁଡୁଙ୍ଗ

ଗୋଟିଏ ଗାଁରେ କିଛି ପରିବାର ବାସ କରୁଥିଲେ । ସେଥି ଭିତରୁ ଗୋଟିଏ ପରିବାରରେ ବଡ ପୁଅର ନାମ ଲାଡା ବୋଲି ଦିଆଯାଇଥିଲା । ଲାଡା ନିଜ ପରିବାରର ପେଟପୋଷଣ ନିମନ୍ତେ ଗୁଡିଆ ହାଣିଲା । ସେହି ଗୁଡିଆରେ ନାନା ପ୍ରକାର ଫସଲ ଯଥା- ମକା, ଝୁଡୁଙ୍ଗ, କାନ୍ଦୁଲ ଇତ୍ୟାଦି ଚାଷ କଲା ।

ଲାଡା ଗୁଡିଆରେ ସବୁପ୍ରକାର ଫସଲ ସଂଗ୍ରହ କରିବା ପରେ ଝୁଡୁଙ୍ଗ ବିଡା ବାନ୍ଧି ରଖିଥିଲା । ସେମାନେ ଜଙ୍ଗଲରୁ ବହୁ, ଝୁଣା, ଲାଖ, କରଡି ଇତ୍ୟାଦି ଫଳମୂଳ ସଂଗ୍ରହ ନିମନ୍ତେ ଯାଆନ୍ତି । ଠିକ୍‍ ଏହି ସମୟରେ ଲାଡା ରଖିଥିବା ଝୁଡୁଙ୍ଗ ବିଡାରୁ ଗୋଟିଏ ଝୁଡୁଙ୍ଗ ଛିଟିକି ପଡି ଘରର ସବୁକାମ ଘର ଝାଡୁ ଠାରୁ ଆରମ୍ଭ କରି ରୋଷେଇ, କୁଇରି କୁଟିବା ଏହି ପରି ସମସ୍ତ କାମ କରିସାରୁଥାଏ । ସେମାନେ ଜଙ୍ଗଲରୁ ଫେରି ଦେଖିଲା ବେଳକୁ ସବୁ କାମ ସରିଯାଇଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି ।

ଏମିତି ବହୁତ ଦିନ ବିତିଗଲା । ଶେଷରେ ଲାଡାର ବାପା, ମା’ ଭାବିଲେ ଯେ ଘରର ସବୁ କାମ କିଏ କରିଛି । ଏହି ସନ୍ଧାନ ସେମାନେ ଜାଣିବାକୁ ଚାହିଁଲେ । ବାପା, ମା ଦିନେ ଲାଡାକୁ କହିଲେ ଯେ ତୁ ଆଜି ଆମ ସାଙ୍ଗରେ ଜଙ୍ଗଲକୁ ଆସିବୁ ନାହିଁ ।

ସେ ସେମାନଙ୍କ କଥାରେ ଏକମତ ହେଲା । ଘର ଭିତରେ ଛକି ରହିଲା ଏବଂ ଜାଣିବାକୁ ଚାହିଁଲା ।ଏହିପରି ଛକିଥିବା ସମୟରେ ଝୁଡୁଙ୍ଗ ଝିଅ ବାହାରି ଆସିଲା । ନିଜ କାମ କରିବାକୁ ଆରମ୍ଭ କଲା । ସବୁ କାମ ସରିଲା ପରେ ପୁଣି ଝୁଡୁଙ୍ଗ ଲୁଚିଲା । ଏମିତି ସମୟ ବିତିଗଲା । ଲାଡାର ବାପା, ମା ଘରକୁ ଫେରିବା ସମୟ ହୋଇଗଲା । ଘରେ ବାପା, ମା ପହଞ୍ଚିବା ପରେ ଲାଡା ଯାହା ଦେଖିଥିଲା ସେହି ବିଷୟରେ ବର୍ଣ୍ଣନା କଲା । ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହେଲେ ।

ସେହି ଝୁଡୁଙ୍ଗ ଝିଅର କାର୍ଯ୍ୟ ଦେଖିବାକୁ ଇଛା କଲେ ଓ ଛକି ବସିଲେ । ସେ ଝିଅକୁ ଜଣା ନଥିଲା ଯେ ତାକୁ ସମସ୍ତେ ଦେଖୁଛନ୍ତି । ସେ ଯେମିତି ବାହାରି କାମ କରୁଥିଲା ଠିକ୍‍ ସେହି ପରି ସେ ଦିନ ମଧ୍ୟ ସବୁ କାମ କଲା । ଏହାପରେ ଲାଡା କହିଲା ଯେ ମୁଁ ସେହି ଝିଅକୁ ବାହା ହେବାକୁ ଚାହୁଁଛି । ଏହା ଶୁଣି ବାପା, ମା ବ୍ୟସ୍ତ ହେଲେ । କହିଲେ ଏମିତି ଝିଅକୁ ତୁ କେମିତି ବାହା ହେବୁ ?

ସେ ଉପାୟ ପାଞ୍ଚିଲା ଏବଂ ବାପା, ମା’ଙ୍କୁ କହିଲା ଯେ ତୁମେ ଜଙ୍ଗଲକୁ ଯାଅ । ମୁଁ ଘରେ ରହିବି । ଏହା ଶୁଣି ସେମାନେ ଜଙ୍ଗଲକୁ ଚାଲିଗଲେ । ଲାଡା ପୂର୍ବ ପରି ଛକି ବସିଲା । ସେ ଝିଅ କେଉଁଠି ବାହାରୁଛି ତାହା ନିରୀକ୍ଷଣ କଲା ।

ଏହାପରେ ସେ ଝୁଡୁଙ୍ଗ ଚୋପା ସବୁ ପୋଡିଦେଲା । ଝିଅଟି ବାହାରି ଆସିଛି । ବାପା, ମା’ଙ୍କର ଆସିବା ସମୟ ହେଇଗଲାଣି । ଏହାପରେ ସେମାନେ ଘରେ ପହଞ୍ଚି ଦେଖିଲେ ଯେ ଗୋଟିଏ ସୁନ୍ଦରୀ ଝିଅ ତାଙ୍କ ଘରେ ଅଛି । ବାପା, ମା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ମଧ୍ୟ ହେଲେ । ଶେଷରେ ଦୁଇଜଣଙ୍କୁ ବାହା କରେଇ ପରିବାରରେ ସମସ୍ତେ ମିଶି ରହିଲେ ।

ଫୋନ୍‍ : ୯୪୩୭୧୫୪୪୪୫

Exit mobile version