Site icon Odisha.com

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀର ନିର୍ଦ୍ଦେଶକ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର ମଇ ୨୧(ଓଡିଶା ଡ଼ଟ୍ କମ୍) ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡା ନିକଟରେ ଗିରଫ ହୋଇ ଥିବା ବେଳେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଏହାର ନିର୍ଦ୍ଦେଶକ ବିଜୟ ସ୍ଵାଇଁଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟଯେ, ମଇ ୧୭ ତାରିଖରେ ଭିଷ୍ଟାର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଭୁବନେଶ୍ଵର ରୁ ତିରୁପତି ଏକ୍ସପ୍ରେସ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା। ତା’ପରେ ତାଙ୍କୁ ପଚରାଉଚରା ପାଇଁ ତିନ ଦିନ ରିମାଣ୍ଡରେ ନିଆଯାଇଥିଲା।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ଏହି ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା । ଭିଷ୍ଟାର କାର୍ଯ୍ୟକ୍ରମ ଓ ପୋଷ୍ଟର ବ୍ୟାନରରେ ଶାସକ ଦଳର କେତେକ ନେତାଙ୍କ ଫଟୋଚିତ୍ର ଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିକଟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ।

ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଏପିକଲ ସହ ଏକ କୃଷି ସେବା କେନ୍ଦ୍ର ଖୋଲିବା ପାଇଁ ରାଜିନାମା କରିଥିବା ତଥ୍ୟ ସାମନାକୁ ଆସିବା ପରେ ସେ ସମୟରେ ଏପିକଲର ଅଧକ୍ଷ୍ୟ ଥିବା ବିଜେଡି ର ଜଣେ ନେତାଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି ।

ଓଡିଶା ଡଟ କମ

Exit mobile version