Site icon Odisha.com

ଟ୍ରେନ୍ ପୋଡି ମାମଲାରେ ଗିରଫଦାରୀକୁ ନେଇ ରିପୋର୍ଟ ତଲବ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୧ (ଓଡିଶା ଡଟ କମ) ପୁରୀ ଜିଲ୍ଲାର ଡେଲାଙ୍ଗ ରେଳ ଷ୍ଟେସନରେ ଗତ ମାସ ଏକ ଟ୍ରେନର କେତେକ ବଗିରେ ନିଆଁ ଲଗାଇବା ଓ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ମାମଲାରେ ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ ପୁରୀ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

ଟ୍ରେନରେ ଖସିପଡି ଜଣେ ଯୁବକର ହୋଇଥିବା ମୃତ୍ୟୁକୁ ବିରୋଧ କରି ଏପ୍ରିଲ୍ ୧୭ ଦିନ ପୁରୀ -ପାରାଦୀପ ଏକ୍ସପ୍ରେସ ଟ୍ରେନରେ ଲଗାଯାଇଥିବା ନିଆଁ ଓ ପରବର୍ତ୍ତୀ ଗଣ୍ଡଗୋଳକୁ ଆଧାର କରି ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ସ୍ଥାନୀୟ ଗୁଆଳିପଡା ଗାଁର ଅଧିବାସୀ ଅଭିଯୋଗ କରିଥିଲେ ।

ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ଆଳରେ ପୁଲିସ୍ ୧୯ ତାରିଖ ରାତିରେ ଉକ୍ତ ଗାଁର ୫୧ ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅପରେସନ୍ ସମୟରେ ପୁଲିସ୍ ଲୋକଙ୍କ ଘର କବାଟ ଭାଙ୍ଗି ପଶିଥିଲା ଓ ଅନେକ ମହିଳାଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କର ମାନବଧିକାର ଉଲ୍ଲଂଘନ କରିଥିବାର ସେ ଦର୍ଶାଇଥିଲେ ।

କମିଶନ ଏହାର ବିଚାର କରି ପୁରୀ ଏସ୍.ପି.ଙ୍କୁ ନୋଟିସ୍ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

Exit mobile version