Site icon Odisha.com

ମାସେ ମଧ୍ୟରେ ବୃହତ ଶିଳ୍ପ ସମସ୍ୟାର ସମାଧାନ କର: ମୁଖ୍ୟମନ୍ତ୍ରୀ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୩ (ଓଡିଶା ଡଟ କମ) ରାଜ୍ୟରେ ପୁଞ୍ଜି ନିବେଶ କରିଥିବା କୋଡିଏଟି ବୃହତ ଶିଳ୍ପର ତାଲିକା ପ୍ରସ୍ତୁତ କରି ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଏକ ମାସ ଭିତରେ କରିବା ପାଇଁ ଶିଳ୍ପ ବିଭାଗ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପରାମର୍ଶ ଦେଇଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ଉଚ୍ଛ ସ୍ତରୀୟ ବୈଠକରେ ବିଭିନ୍ନ ଶିଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ସେ ଏହି ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବୃହତ ଶିଳ୍ପ ଗୁଡିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ଯେପରି ଜମି ଅଧିଗ୍ରହଣ, କଞ୍ଚାମାଲ ଯୋଗାଣ, ଜଳ ଯୋଗାଣ, ପରିବେଶ ଅନୁମତି ଆଦି ବିଷୟ ଆଲୋଚନା ହୋଇଥିଲା ।

ପରବର୍ତ୍ତୀ ମାସିକ ବୈଠକ ପୂର୍ବରୁ ଶିଳ୍ପ ମନ୍ତ୍ରୀ ଅନ୍ୟ ସମ୍ପୃକ୍ତ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ଚୁଡାନ୍ତ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ନିଯୁକ୍ତିର ସୁଯୋଗ ସଂପ୍ରସାରଣ ଓ ଅଧିକ ପୁଞ୍ଜିନିବେଶ ରାଜ୍ୟକୁ ଆକର୍ଷିତ କରିବା ଆଦି ବିଷୟକୁ ଆଖି ଆଗରେ ରଖି ନୂତନ ଶିଳ୍ପ ନୀତି ୨୦୧୫କୁ ଶୀଘ୍ର ଚୁଡାନ୍ତ ରୂପ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ସେସା ଷ୍ଟେରଲାଇଟ, ଆଦିତ୍ୟ ଆଲୁମିନିଅମ ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଆଦି କମ୍ପାନୀ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ପସ୍କୋ ବିଷୟ ସ୍ଥାନ ପାଇନଥିଲା ।

ଓଡିଶା ଡଟ କମ

Exit mobile version