Site icon Odisha.com

ସ୍ଵାସ୍ଥ୍ୟକର କୁକୁଡା ମାଂସ ବିକ୍ରି ପାଇଁ ସରକାରଙ୍କ ଚିକେନ୍ ଫ୍ରେସ୍

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୩ (ଓଡିଶା ଡଟ କମ) ଗ୍ରାହକଙ୍କୁ ସ୍ଵାସ୍ଥ୍ୟକର କୁକୁଡା ମାଂସ ଓ ଅଣ୍ଡା ସୁଲଭ ଦରରେ ଉପଲବ୍ଧ କରାଇବା ପାଇଁ ରାଜ୍ୟର ମତ୍ସ୍ୟ ଓ ପଶୁ ବିକାଶ ବିଭାଗ ଭୁବନେଶ୍ଵରରେ ରବିବାର ଆରମ୍ଭ କରିବାକୁ ଯାଉଛନ୍ତି ଏକ ଅଭିନବ ବିକ୍ରୟ କେନ୍ଦ୍ର ‘ଚିକେନ୍ ଫ୍ରେସ୍’ ।

ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓପୋଲ୍ ଫେଡ ଦ୍ଵାରା ସହିଦ ନଗରରେ ଆରମ୍ଭ ହେବାକୁ ଯାଉଥିବା ଏହି ବିକ୍ରୟ କେନ୍ଦ୍ରର ଉଦ୍ ଘାଟନ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ କରିବେ ।

ଅର୍ଡର ଦେବାର ଦଶ ମିନିଟ ଭିତରେ ଗ୍ରାହକମାନେ ଏହି ବିକ୍ରୟ କେନ୍ଦ୍ରରୁ ସୁଲଭ ଦରରେ ସମ୍ପୁର୍ଣ ସ୍ଵାସ୍ଥ୍ୟକର ଓ ପ୍ରସେସ ହୋଇଥିବା କୁକୁଡା ମାଂସ ପାଇପାରିବେ । ଗ୍ରାହକ ନିଜ ପସନ୍ଦ ମୁତାବକ ବ୍ରଏଲର ଚିକେନ ଓ ଦେଶୀ କୁକୁଡାର ଅଂଶ ଯଥା ଲେଗ ପିସ, ଚେଷ୍ଟ ଇତ୍ୟାଦି ମଧ୍ୟ ଅର୍ଡର ଦେଇ ପାଇପାରିବେ ।

ରାଜ୍ୟ ସରକାରଙ୍କ ଅନୁଦାନରେ ଓପୋଲ୍ ଫେଡ୍ ସ୍ଥାପନ କରିଥିବା ଇଉନିଟରେ ପ୍ରତିଦିନ ପ୍ରାୟ ଦୁଇ ହଜାର ବ୍ରଏଲର କୁକୁଡା ପ୍ରସେସ କରାଯାଇ ପାରିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମ ଓ ତତ୍ଵାବଧାନରେ ସହରରେ ସ୍ଥାପନ କରାଯାଇଥିବା ଚିଲିକା ଫ୍ରେସ ଗ୍ରାହକଙ୍କୁ ସ୍ଵାସ୍ଥ୍ୟକର ଚିଲିକା ମାଛ ବିତରଣ କରିଆସୁଅଛି ।

୨୦୧୪-୧୫ ଆର୍ଥିକ ବର୍ଷରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇ ରାଜ୍ୟ ସ୍ଵାବଲମ୍ବୀ ହୋଇପାରିଥିବା ବେଳେ ବିଦେଶକୁ ମଧ୍ୟ ରପ୍ତାନି ୨୬ ପ୍ରତିଶତ ବୃଦ୍ଧି ପାଇଛି ।

ରାଜ୍ୟରେ ଜଣ ପିଛା ମାଛ ଖାଇବା ପରିମାଣ ୨୦୧୩ – ୧୪ ଓ ୨୦୧୨-୧୩ରେ ହାରାହାରି ୯.୧୩ କେଜି ରହିଥିବା ବେଳେ ୨୦୧୪-୧୫ରେ ଏହା ୯.୪୦ କେଜିକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ବାର୍ଷିକ ମାଛ ଖାଇବା ପରିମାଣ ହେଉଛି ୯.୮ କିଲୋଗ୍ରାମ ।

ଓଡିଶା ଡଟ କମ

Exit mobile version