Site icon Odisha.com

୨୦୦୫ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ସମେତ ୧୬ ଜଣ ଖଲାସ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୩ (ଓଡିଶା ଡଟ କମ) ୨୦୦୫ ମସିହାରେ ଭୁବନେଶ୍ଵରରେ ସଂଗଠିତ ହୋଇଥିବା ଦୁଇଟି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାରେ ସ୍ଥାନୀୟ ଅଦାଲତ ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ସମେତ ଷୋହଳ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଶୁକ୍ରବାର ନିର୍ଦୋଷରେ ଖଲାସ କରିଛନ୍ତି ।

ଉକ୍ତ ବର୍ଷ ଏପ୍ରିଲ ଅଠର ତାରିଖରେ ନୂଆପଲ୍ଲୀ ଥାନା ଅନ୍ତର୍ଗତ ଇଉନିଟ ୮ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସାମ୍ନାରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଦିନ ପ୍ରାୟ ସାଢେ ବାରଟା ବେଳେ ଦୁର୍ବୁତ୍ତଙ୍କ ଗୁଳିମାଡରେ ସୁବାସ ଚନ୍ଦ୍ର ଦାସ ଓ ଧୀରେନ କୁମାର ସେଠୀ ନାମକ ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରି ଗ୍ୟାଙ୍ଗ ଷ୍ଟାର ଅନିଲ ଛୋଟରାୟ ଓ କେତେକ ଠିକାଦାରଙ୍କୁ ଗିରଫ କରିଥିଲେ । ତଦନ୍ତ ରିପୋର୍ଟରେ ଯାଞ୍ଚ କରିଥିବା ସଂସ୍ଥା ଟେଣ୍ଡର ଫିକସିଂକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଦର୍ଶାଇଥିଲେ ।

ପୁଲିସ ଓ କ୍ରାଇମ ବ୍ରାଞ୍ଚ ତଦନ୍ତରେ ତାଳମେଳ ଅଭାବ, ଠିକ ଭାବେ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରିବାରେ ବିଫଳତା ଯୋଗୁଁ ଅଦାଲତ ଅଭିଯୁକ୍ତ ମାନଙ୍କୁ ଖଲାସ କରିଥିବା, ମାମଲାର ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସୌର ମହାପାତ୍ର କହିଛନ୍ତି ।

ହତ୍ୟାକାଣ୍ଡ ସ୍ଥାନରୁ ପୁଲିସ ଜବତ କରିଥିବା ଗୁଳି ଓ ଅଭିଯୁକ୍ତମାନଙ୍କ ଠାରୁ ଜବତ ବନ୍ଧୁକ ଗୁଳି ରେ ସମାନତା ପ୍ରମାଣ ହୋଇନଥିଲା ।

ମହାପାତ୍ର ଓଡିଶା ଡଟକମକୁ କହିଛନ୍ତି ଯେ ପୁଲିସ ଏହି ମାମଲାରେ ଅଠର ଜଣଙ୍କୁ ଅଭିଯୁକ୍ତ ଘୋଷଣା କରି ସତର ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏହା ମଧ୍ୟରେ ମୃତ୍ୟୁ ବରଣ କରିସାରିଥିବା ବେଳେ ଆଉ ଜଣେ ଫେରାର ଅଛି ।

ଅଦାଲତରେ ଷୋହଳ ଜଣଙ୍କ ବିରୁଦ୍ଧରେ ବିଚାର ହୋଇଥିଲା ଓ ମାନ୍ୟବର ଜଜ ଉକ୍ତ ଷୋହଳ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ଘୋଷଣା କରିଥିବା ସେ କହିଛନ୍ତି ।

ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ଓ ଅନ୍ୟ କେତେକ ଅଭିଯୁକ୍ତ ଛାଡ ପାଇଛନ୍ତି ।
ଓଡିଶା ଡଟ କମ

Exit mobile version