Site icon Odisha.com

ଆବଶ୍ୟକ ଭିତ୍ତିଭୂମି ନଥିବା ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ) ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସରକାରୀ ବା ବେସରକାରୀ ସ୍କୁଲଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ନାହାନ୍ତି ସେହି ସବୁ ସ୍କୁଲଗୁଡିକ ନଭେମ୍ବର ମାସ ସୁଦ୍ଧା ବନ୍ଦ କରିବାପାଇଁ କେନ୍ଦ୍ର ତରଫରୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ସରକାରୀ ବା ବେସରକାରୀ ସ୍କୁଲ ଗୁଡିକରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି ସେହି ସବୁ ସ୍କୁଲ ଗୁଡିକ ଶିକ୍ଷା ଅଧିକାର ଆଇନର ପରିସର ଅନ୍ତ୍ରର୍ଭୁକ୍ତ ।

ଏହି ଆଇନ ଅନୁସାରେ ଯେଉଁ ସ୍କୁଲ ଗୁଡିକରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି ଏବଂ ପଢୁଥିବା ପିଲାଙ୍କ ସଂଖ୍ୟା ଯଦି ଷାଠିଏ ହୋଇଥାଏ ତେବେ ସେହି ସ୍କୁଲ ରେ ଦୁଇ ଜଣ ଶିକ୍ଷକ ରହିବା ବାଧ୍ୟତା ମୂଳକ ଅଟେ ।

ପିଲାଙ୍କ ସଂଖ୍ୟା ଯଦି ନବେ, ଶହେ କୋଡିଏ ଓ ଦେଢଶହ ହୋଇଥିବ ସେଇ ଅନୁସାରେ ଶିକ୍ଷଙ୍କ ସଂଖ୍ୟା ଯଥାକ୍ରମେ ୩, ୪, ୫ କୁ ବୃଦ୍ଧି ପାଇବା ଆବଶ୍ୟକ । ଯଦି ପିଲାଙ୍କ ସଂଖ୍ୟା ଦୁଇ ଶହ ହୋଇଥିବ ଶିକ୍ଷଙ୍କ ସଂଖ୍ୟା ୪୦ ହେବା ଜରୁରୀ ।

ସେହିପରି ଯେଉଁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ପାଠ ପଢୁଛନ୍ତି ସେହି ସ୍କୁଲରେ ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ରହିବା ଆବଶ୍ୟକ । ଭିନ୍ନଭିନ୍ନ ବିଷୟ କୁ ଭିନ୍ନଭିନ୍ନ ଶିକ୍ଷକ ପଢାଇବା ଦରକାର ।

ଏହା ବ୍ୟତୀତ ପ୍ରତି ଶ୍ରେଣୀ ପାଇଁ ଅଲଗା ଶ୍ରେଣୀ ଗୃହ ରହିବା ସହ ପ୍ରଧାନ ଶିକ୍ଷକଙ୍କ ପାଇଁ ପ୍ରକୋଷ୍ଠ ଓ ପିଲାମାନଙ୍କ ପାଇଁ ପୃଥକ ଶୌଚାଳୟ ଓ ଖେଳ ପଡିଆ ଆଦି ରହିବା ଉଚିତ ।

ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସ୍କୁଲରେ ଏହିସବୁ ଭିତ୍ତିଭୂମି ନଥିବ ଉକ୍ତ ସ୍କୁଲ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ

Exit mobile version