Site icon Odisha.com

ଓଡ଼ିଶା ବିରୋଧୀ ନୁହନ୍ତି କେନ୍ଦ୍ର ସରକାର: ନିର୍ମଳା ସୀତାରମଣ

ଓଡିଶା ଡଟ କମ ସମ୍ବାଦଦାତା
ଭୁବନେଶ୍ଵର,ମଇ ୨୪ (ଓଡିଶା ଡଟ କମ): ବିଜେଡି ସରକାରର କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ରବିବାର ସମାଲୋଚନା କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ। ଓଡିଶାକୁ କେନ୍ଦ୍ର କେବେବି ଅବହେଳା କରୁନାହିଁ।

ବରଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶା ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଠାରୁ ଅନୁଦାନ ବାବଦରେ ୧ ଲକ୍ଷ ୧୨ହଜାର ୬୭୭କୋଟି ଟଙ୍କା ପାଇବାକୁ ଥିବାବେଳେ କୋଇଲା ଇ-ନିଲମରୁ ୨ ଲକ୍ଷ କୋଟିଟଙ୍କା ପାଇବ।

ଏହାବାଦ ରେଳ ବଜେଟରେ କେନ୍ଦ୍ର ସରକାର ରାଜ୍ୟକୁ ସବୁଠାରୁ ଅଧିକ ୨୫୧୪ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟରେ ବଡବଡ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିବା ସୀତାରମଣ କହିଛନ୍ତି।

ନରେନ୍ଦ୍ର ମୋଦି ସରକାରଙ୍କ ଏକବର୍ଷ ପୁର୍ତ୍ତିଅବସରରେ ଆଜି ସୀତାରମଣ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି ସରକାର ଗତ ଏକ ବର୍ଷ ମଧ୍ୟରେ ଦୁର୍ନୀତି ମୁକ୍ତ ଶାସନ ଦେଇଥିବା ବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ବଢିଛି ବୋଲି ସୀତାରମଣ କହିଥିଲେ।

ଏହସହ ସେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଚିଠା ରଖିଥିଲେ।

ଜମି ଅଧିଗ୍ରହଣ ବିଲକୁ ବିରୋଧ କରୁଥିବାରୁ କଂଗ୍ରେସକୁ ସୀତାରମଣ ସମାଲୋଚନା କରିଥିଲେ। ମୋଦି ସରକାରଙ୍କୁ ସମାଲୋଚନା କରିବାର ନୈତିକ ଅଧିକାର କଂଗ୍ରେସର ନାହିଁ।

ବରଂ ଦେଶର ପ୍ରଗତିର କଥା ଯେତେବେଳେ ଆସୁଛି କଂଗ୍ରେସ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସୀତାରମଣ କହିଥିଲେ।

କେନ୍ଦ୍qର ସରକାରଙ୍କ ଇଣ୍ଡଷ୍ଟ୍ରିଆଲ କରିଡର ଓଡ଼ିଶାକୁ ସଂଯୋଗ କରିବା ବୋଲି ସୀତାରମଣ କହିଥିଲେ। ତେବେ ପୋସ୍କୋ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସେ ଦାୟୀ କରିଥିଲେ।

ସୀତାରମଣଙ୍କ ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ବାବଦରେ ଏଥର ରାଜ୍ୟକୁ ଅନୁଦାନ କମ ମିଳିଛି। ରାଜ୍ୟକୁ ଏଥର ୨୧୨୦ କୋଟି କମ ଅନୁଦାନ ମିଳିଥିବା ବିଜେଡି ମୁଖପାତ୍ର ସମୀରଦାସ କହିଛନ୍ତି ।

ରାଜ୍ୟର ଗାଁ ଗାଁ ରେ ମୋଦି ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ସୀତାରମଣ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି।

ଓଡିଶା ଡଟ କମ

 

 

 

Exit mobile version