Site icon Odisha.com

କ୍ଷତ୍ରିୟ ଏକତା ମହାଯଜ୍ଞ ଓ ଏକତା ସମ୍ମାନ ସମାରୋହ ଅନୁଷ୍ଠିତ

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ୱର,ମଇ ୨୫ (ଓଡିଶା ଡଟ କମ) : ଭୁବନେଶ୍ୱରର ଗଡ଼ଡୁମୁଡୁମା ଠାରେ ବିଶିଷ୍ଠ ସମାଜସେବୀ ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ପୃଥ୍ୱୀ କ୍ଷତ୍ରିୟ ମହାସଂଘ ଆୟୋଜିତ କ୍ଷତ୍ରିୟ ଏକତା ମହାଯଜ୍ଞ ଓ କ୍ଷତ୍ରିୟ ଏକତା ସମ୍ମାନ-୨୦୧୫ ସମାରୋହରେ ଅନୁଷ୍ଠିତ ହୋଇଛି ।

ଏହି ସମାରୋହରେ ପୂର୍ବତନ ମନ୍ତ୍ରୀ ଡା. ବେଣୁଧର ବଳିଆରସିଂହ ମୁଖ୍ୟ ଅତିଥି, ପ୍ରାକ୍ତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।

ମହାସଂଘର ରାଷ୍ଟ୍ରୀୟ ଆବାହକ ଦେବୀଦତ୍ତପୃଥ୍ୱୀରାଜ ପ୍ରତାପସିଂହ ସମାରୋହର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କ୍ଷତ୍ରିୟ, ଖଣ୍ଡାୟତ, ପାଇକ, ଚଷା, କୁଲତା, ବାଣାୟତ, ଓଡ଼ିଆ, କାଳଞ୍ଜୀ, ଦଳପତୀ ମାନଙ୍କୁ ଏକତ୍ରିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଡା.ବଳିଆରସିଂହ କ୍ଷତ୍ରିୟ ମାନଙ୍କର ଅତିତ ଗୌରବର ଗାଥା ଉପରେ ବର୍ଣ୍ଣନା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ କ୍ଷତ୍ରିୟମାନଙ୍କର ଏକତ୍ରିକରଣ ଆମ ଓଡ଼ିଶା ପାଇଁ ନିଶ୍ଚତ ଭାବେ ଗୌରବ ଓ ଗାରିମାର ବିଷୟ ହେବ ।

ସଭାକୁ ସମ୍ଭୋଧନ କରି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ କହିଲେ ଯେ ମଣିଷ ମାନଙ୍କର ଜାତିପ୍ରଥା ଭାରତରେ ଆଦିମ କାଳରୁ ନିଜର କୌଳିକ ବୃତ୍ତିକୁ ନେଇ ଅଦ୍ୟାବଧି ରହିଆସିଅଛି । କ୍ଷତ୍ରିୟ ମାନଙ୍କର ଦେଶର ସ୍ୱାଧୀନତା ଓ ପରବର୍ତ୍ତି ସମୟରେ ଦେଶ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ କ୍ଷତ୍ରିୟମାନଙ୍କୁ ଭୂୟସୀ ପ୍ରସଂଶା କରିଥିଲେ । ସଂଘବଧ ଭାବେ କୌଣସି କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ରୂପରେଖ ଦେବା ପାଇଁ କ୍ଷତ୍ରିୟ ମାନଙ୍କୁ ସେ ଅନୁରୋଧ କରିଥିଲେ ।

ଏତଦ୍ ବ୍ୟତୀତ ସଭାରେ ସମ୍ମାନିତ ଅତିଥି ଭାବରେ ଇଂ. ଶିଶିର କୁମାର ନାୟକ, ବିଷିଷ୍ଠ ଶିକ୍ଷାବିତ୍ କାଳିଚରଣ ଜୟସିଂହ, ବଂଶୀଧର ନାୟକ, ପର୍ଶୁରାମ ସ୍ୱାଇଁ, ରାମଚନ୍ଦ୍ର ବଳବନ୍ତରାୟ, ଉଗ୍ରସେନ ମଙ୍ଗରାଜ ବାଳକୁଷ୍ଣ ସ୍ୱାଇଂ କ୍ଷତ୍ରିୟ ମାନଙ୍କର ବୈପ୍ଳବିକ ମୂଲ୍ୟବୋଧକୁ ସରକାରଙ୍କର ଅଣଦେଖା ପ୍ରତି କ୍ଷୋଭ ପ୍ରକାଶ କରିଥିଲେ ।

ବିଭିନ୍ନ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କୁ ଯୋଗ୍ୟତା ଭିତ୍ତିକ ସୁଯୋଗ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ କ୍ଷତ୍ରିୟ ମାନଙ୍କର ସହଯୋଗ ପାଇଁ ଓଡ଼ିଶାର ବ୍ଲକ ଓ ଜିଲ୍ଲା ସ୍ତରୀୟ ସଭାର ଅୟୋଜନ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମତ ରଖିଥିଲେ ।

ସଭାକୁ ଅଧିକ ରୂଚକ ଓ ରୁଦ୍ଧିମନ୍ତ କରିବା ପାଇଁ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ଆସିଥିବା ପାଇକ ଆଖଡ଼ା ଦଳ ସେମାନଙ୍କର ସମରକଳା ପଦର୍ଶନ କରିଥିଲେ ।

ଶେଷରେ ୩୦ଜଣ ବିଷିଷ୍ଟ କ୍ଷତ୍ରିୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ଷତ୍ରିୟ ଏକତା ସମ୍ମାନ ୨୦୧୫ ପ୍ରଦାନ କରାଯାଇଥିଲା ।

ଓଡିଶା ଡଟ କମ

Exit mobile version