Site icon Odisha.com

ପାରାଦୀପ ବନ୍ଦରରେ ଅଣ-ଓଡିଆଙ୍କ ନିଯୁକ୍ତିକୁ ବିରୋଧ

ଓଡିଶା ଡଟ୍ କମ୍ : ଅମରନାଥ ପରିଡା

ପାରାଦୀପ, ମଇ ୨୯ (ଓଡିଶା ଡଟ୍ କମ୍), ଜାହାଜ ଚଳାଚଳ ମନ୍ତ୍ରାଳୟ ଦ୍ଵାରା ପାରାଦୀପ ବନ୍ଦରରେ ଅଣ-ଓଡିଆ ଅଫିସରଙ୍କ ନିଯୁକ୍ତି ଓ ବର୍ଥର ଆଧୁନିକୀକରଣକୁ ବିରୋଧ କରି ଶୁକ୍ରବାର ପ୍ରାୟ ଶହେ ଜଣ ବନ୍ଦର କର୍ମଚାରୀ ସଂଘ ନେତା ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ଵାରା ସବୁ ବର୍ଥ ର ଆଧୂନିକୀକରଣ କରିବା ଯୋଜନାକୁ ସଂଘ ନେତାମାନେ ସମାଲୋଚନା କରି ଏହି ଧାରଣା ଦେଇଥିଲେ । ସଂଘ ତରଫରୁ କୁହାଯାଇଛି ଯେ ସେମାନେ ବର୍ଥର ଆଧୁନିକି କରଣ ଓ ବନ୍ଦର ର ଘରୋଇ କରଣ ଉଦ୍ୟମ ବିରୋଧ ଆନ୍ଦୋଳନ ଆଗକୁ ମଧ୍ୟଜାରି ରଖିବେ ଓ ଜୁନ ୧୮ ଠାରୁ ଯୋଜନାବଦ୍ଧ ଭାବରେ ଆମରଣ ଅନଶନ କରିବେ ।

ବନ୍ଦର କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଯୋଗୁଁ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ସଂଘ ନେତାମାନେ କହିଥିଲେ । ପାରାଦୀପରେ ଅଣ ଓଡିଆଙ୍କ ନିଯୁକ୍ତି ଯୋଗୁ ବନ୍ଦର କାର୍ଯ୍ୟରେ  ଦିନ କୁ ଦିନ ଅବନତି ହେଉଥିବା ମଧ୍ୟ ସଂଘ ଅଭିଯୋଗ କରିଛି ।

ଯଦି ପୋର୍ଟର ଆଧୂନିକୀକରଣ କରାଯାଏ ତେବେ ଆଉ ଶ୍ରମିକଙ୍କ ବନ୍ଦରରେ ଆବଶ୍ୟକତା ରହିବ ନାହିଁ । ତେଣୁ ସେମାନେ ନିଜ ଜୀବିକା ହରେଇବେ । ସେଥିପାଇଁ ଶ୍ରମିକଙ୍କୁ ଆଖିରେ ରଖି ଜାହାଜ ଚଳାଚଳ ମନ୍ତ୍ରାଳୟର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବୁ । ଯଦି ସେମାନେ ଆମର ପ୍ରସ୍ତାବରେ ରାଜି ନ ହୁଅନ୍ତି ତେବେ ଜୁନ ୧୮ ଠାରୁ ଆନ୍ଦୋଳନ ଆରମ୍ଭ ହେବ, ସଂଘ ନେତା ବିଭୁତି ପଣ୍ଡା କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version