Site icon Odisha.com

ଚିଟ ଫଣ୍ଡ ଠକେଇରେ ଆଉ ଜଣେ ଗିରଫ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୯ (ଓଡିଶା ଡଟ କମ) ନିବେଶ ପୁଞ୍ଜି ଦୁଇଗୁଣ କରିବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ପଚାଶ କୋଟି ଟଙ୍କା ଠକିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜମି ଓ ଘର ନିର୍ମାଣ କାମ କରୁଥିବା ଗୋଟିଏ କମ୍ପାନୀର ମୁଖ୍ୟକୁ ଗିରଫ କରିଥିବା କ୍ରାଇମ ବ୍ରାଞ୍ଚ ଶୁକ୍ରବାର କହିଛି ।

ଶ୍ରୀଭୂମି କନଷ୍ଟ୍ରକସନର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ ଜୟଦେବ ବିହାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ଗିରଫ କରାଯାଇଛି ।

ଗତ ୨୦୧୧ ମସିହାରେ ଭୁବନେଶ୍ଵରରେ ଏକ କମ୍ପାନୀ ପଞ୍ଜୀକୃତ କରି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଫିସ ଖୋଲି ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ ।

ବିଭିନ୍ନ ପ୍ରଲୋଭନ ଦେଖାଇ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଲୋକଙ୍କଠାରୁ ଦ୍ଵିଗୁଣ କରିବାର ପ୍ରତିଶ୍ରୁତି ଦେଇ ଅର୍ଥସଂଗ୍ରହ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଫଳରେ ବାଧ୍ୟ ହୋଇ କିଛି କ୍ଷୁଦ୍ର ନିବେଶକାରୀ ଚଳିତ ବର୍ଷ ଆରମ୍ଭରେ ପୁଲିସକୁ ସୂଚନା ଦେଇଥିଲେ ।

ମାମଲାର ତଦନ୍ତ କରି ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡ ନାମକ ଆଉ ଏକ କମ୍ପାନୀର ଅଧ୍ୟକ୍ଷ ଦେବ କୁମାର ପଣ୍ଡା, ତଥା ଉକ୍ତ କମ୍ପାନୀର ଦୁଇଜଣ ନିର୍ଦ୍ଦେଶକ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଙ୍କୁ ଗିରଫ କରି ଥିଲେ ।

ଓଡିଶା ଡଟ କମ

Exit mobile version