Site icon Odisha.com

ଭୁବନେଶ୍ଵରରେ ଚିଲିକା ଫ୍ରେସ୍ ର ଦ୍ଵିତୀୟ ବିକ୍ରୟ କେନ୍ଦ୍ର ଉଦଘାଟିତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩୧ (ଓଡିଶା ଡଟ କମ) ରାଜଧାନୀ ବାସୀଙ୍କୁ ସୁଲଭ ଦରରେ ସ୍ଵାସ୍ଥ୍ୟକର ଚିଲିକା ମାଛ ଉପଲବ୍ଧ କରାଇବା ପାଇଁ ଭୁବନେଶ୍ଵରରେ ରବିବାର ଉଦଘାଟିତ ହୋଇଛି ଚିଲିକା ଫ୍ରେସର ଦ୍ଵିତୀୟ ବିକ୍ରୟ କେନ୍ଦ୍ର ।

ଆଇଆରସି ଭିଲେଜରେ ପ୍ରତିଷ୍ଠା ହୋଇଥିବା ଏହି ବିକ୍ରୟ କେନ୍ଦ୍ରକୁ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଗହଣରେ ଉଦଘାଟନ କରିଥିଲେ ।

ରାଜ୍ୟ ସରକାରଙ୍କ ଫିସଫେଡ ଦ୍ଵାରା ୩୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବିକ୍ରୟ କେନ୍ଦ୍ରରେ ଉତ୍ତମ ମାନର ତଥା ସ୍ୱାସ୍ଥ୍ୟକର ଓ ରପ୍ତାନି ଉପଯୋଗୀ ତାଜା ନଦୀ ଓ ସମୁଦ୍ର ମାଛ ସହର ବାସୀଙ୍କୁ ଉପଲବ୍ଧ ହେବ ।

ଏହି ବିକ୍ରୟ କେନ୍ଦ୍ର ଉଦଘାଟନ ସମୟରେ ଅନ୍ୟ ଯେଉଁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ସେମାନେ ହେଲେ ସ୍ଥାନୀୟ ଲୋକ ସଭା ସଦସ୍ୟ ପ୍ରସନ୍ନ କୁମାର ପାଟଶାଣି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର ସମୀର ପ୍ରଧାନ, ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଓ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫିସଫେଡ ଚିଲିକା ଫ୍ରେସ ର ପ୍ରଥମ ବିକ୍ରୟ କେନ୍ଦ୍ର ଗତ ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଶିରିପୁର ଛକରେ ଆରମ୍ଭ କରିଥିଲା ।

ଏହି କେନ୍ଦ୍ରରୁ ଏଯାଏଁ ପଇଁତିରିଶ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଓଡିଶା ଡଟ କମ

Exit mobile version