Site icon Odisha.com

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୨ (ଓଡିଶା ଡଟ୍ କମ୍) ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଗଜ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ନିମନ୍ତ୍ରଣ ରକ୍ଷା କରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜ ଶିଷ୍ୟ ମାନଙ୍କ ସହ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ।

ସକାଳେ ମହାପ୍ରଭୁଙ୍କୁ ମଙ୍ଗଳାର୍ପଣ, ଡୋର ଲାଗି, ପୁଷ୍ପାଞ୍ଜଳୀ ଲାଗି, ସୂର୍ଯ୍ୟପୂଜା, ଦ୍ୱାର ପୂଜା ପ୍ରଭୁତି ହେବା ପରେ ତିନିଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣା ଯାଇଥିଲା । ମନ୍ଦିର ପ୍ରଶାସନ ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୬.୩୦ରେ ସାତଟାରେ ପହଣ୍ଡି ଆରମ୍ଭ ହୋଇ ୯.୧୦ ମିନିଟ ରେ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଶେଷ ହୋଇଥିଲା । ମଙ୍ଗଳାଆରତୀ ୧୦.୫୫ ରେ, ଅବକାଶ ନୀତି ଦିନ ୧୨ ଟାରେ ଅନୁଷ୍ଠିତ ହୋଇଥିଲା ।

ଜ୍ୟେଷ୍ଠର ଅସହ୍ୟ ଗରମ ସହ୍ୟ କରି ନପାରି ଉତ୍ତର ଦିଗରେ ଅବସ୍ଥିତ ଗଭୀର କୂପର ଶୀତଳ ଜଳରେ ମହାପ୍ରଭୁ ସ୍ନାନ କରିଥିଲେ । ଆନନ୍ଦବଜାର ସ୍ଥିତ ଉତ୍ତର ପୂର୍ବ କୋଣରେ ରହିଥିବା ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ସ୍ନାନ ଅନୁଷ୍ଠିତ ହୋଇଥିଲା । ଜଳ ବିଜେ ପୂଜା ସ୍ନାନ ୧.୫୦ ରେ ଆରମ୍ଭ ହୋଇ ୩.୨୦ ରେ ସମାପ୍ତ ହୋଇଥିଲା ।

ପ୍ରାୟ ୩.୪୫ ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜ ଶିଷ୍ୟ ମାନଙ୍କ ସହ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଗଜପତିଙ୍କ ଦ୍ଵାରା ଛେରା ପହଁରା ପରେ, ୫ଟାରେ ଶ୍ରୀ ଜୀଉ ଗଜ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ରାତ୍ରିରେ ସାହାଣ ମେଳା ଅନୁଷ୍ଠିତ ହେବ । ଶତାବ୍ଦୀର ପ୍ରଥମ ନବ କଳେବର ହେବାକୁ ଯାଉଥିବାରୁ ରତ୍ନ ବେଦିରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନବେଦିରେ ଏହା ହେଉଛି ଶେଷ ଦର୍ଶନ । ଶ୍ରୀ ବିଗ୍ରହଙ୍କ ଏହି ଦିବ୍ୟ ଲୀଳା ଦେଖିବା ପାଇଁ ସାରା ରାଜ୍ୟରୁ ଭକ୍ତ ମାନେ ଆସିଥିବାରୁ ପୁରୀ ଲୋକାରଣ୍ୟ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଳିତ ମାସ ୧୫ ତାରିଖ ରେ ନବକଳେବର ଗୁପ୍ତ ନୀତି ସମାପ୍ତ ପରେ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାତାଳି କରାଯିବ ଓ ଜୁଲାଇ ୧୬ ତାରିଖରେ ନବ କଳେବର ନେଇଥିବା ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ବେଦିରେ ନବ ଯୌବନ ଦର୍ଶନ ଦେବେ ।

ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ ।

ଓଡିଶା ଡଟ କମ

Exit mobile version