Site icon Odisha.com

(ଶ୍ରଦ୍ଧାଞ୍ଜଳି) ସାଇ ସ୍ମୃତି

: ଶ୍ରୀ ଅଖଣ୍ଡ

ମୁମ୍ବାଇରେ ରହୁଥିବା ଓଡିଶାର ଜଣେ ସାମ୍ବାଦିକ ତଥା ସମାଜ କର୍ମୀ ସାଇ ପ୍ରସନ୍ନଙ୍କ ଗତ ମଇ ୩୧ ତାରଖରେ ନାଗପୁରରେ ଅକାଳ ବିୟୋଗ ଘଟିଛି । ରାଉଲକେଲା ଆସୁଥିବା ବେଳେ ୩୦ ତାରିଖରେ ନାଗପୁର ଠାରେ ସେ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇ ହେଲା ନାହିଁ । ଡିଜିଟାଲ୍ ଓଡିଶାର ସ୍ୱପ୍ନ ଦେଖୁଥିବା ସାଇ ପ୍ରସନ୍ନ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିସାରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁରେ ଏକ ବଡଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ।

୨୦୦୮ରେ ମୁଁ ଏକ ଖବର କାଗଜରେ କାମ କରୁଥିବା ବେଳେ ପ୍ରଥମେ ସାଇ ପ୍ରସନ୍ନଙ୍କ ଫୋନ୍ ପାଇଥିଲି ।ତା ପରେ ସେ ସବୁବେଳେ ମୋ ସହ ଯୋଗାଯୋଗରେ ଥିଲେ। ଯେତେବେଳେ ସେ ଫୋନ୍ କରନ୍ତି, ଗୋଟିଏ କଥା କହନ୍ତି – ଓଡିଶା ପାଇଁ କିଛି କରିବାକୁ ଯୋଜନା କରୁଛି । ଲେଖାଲେଖି ଚାଲିଛି । ଆଉ ମୋତେ ପଚାରନ୍ତି, ତମର ସବୁ କଣ ନୂଆ ଆଇଡିଆ ଅଛି କୁହ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜନତା ବିକାଶ ମଂଚର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସବୁବେଳେ ମୋ ଠାରୁ ମତାମତ ଲୋଡନ୍ତି ।

ମୁମ୍ବାଇରୁ ଥାଇ ଓଡିଶାର ବହୁ ଲୋକଙ୍କ ସହ ସମ୍ପର୍କ ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଥିଲା ତାଙ୍କର ଅଭ୍ୟାସ ।ମଝିରେ ମଝିରେ ଭୁବନେଶ୍ୱର ଆସିଲେ ମୋତେ ଡାକନ୍ତି ଓ ଆମର ଦେଖାହୁଏ । ମାନବାଧିକାର ସମ୍ପର୍କିତ ମିଟିଂ ଓ କର୍ମଶାଳାରେ ମଧ୍ୟ ଦେଖାହୁଏ । ଗତ ମାସରେ ସେ ଡିଜିଟାଲ୍ ଓଡିଶା ଉପରେ ଏକ ସେମିନାର୍ କରିବା ପୂର୍ବରୁ ତାଙ୍କ ସହ ଘନିଷ୍ଠତା ବଢି ଯାଇଥିଲା ।

ଏହାକୁ କିପରି କରାଯିବ, ସେ ନେଇ ପୂର୍ବରୁ ହୋଇଥିବା ପ୍ରସ୍ତୁତିରେ ମୁଁ ସାମିଲ ହୋଇଥିଲି । ସେମିନାର ପୂର୍ବରୁ ମୋ ପାଖକୁ ସେ ଏକ ପ୍ରେସ୍ ରିଲିଜ୍ ପଠାଇଥିଲେ । ଆଉ ଅନୁରୋଧ କରିଥିଲେ, ଏହାକୁ ଓଡିଆରେ କରିବା ପାଇଁ । ମୁଁ ଓଡିଆରେ ଅନୁବାଦ କରି ତାଙ୍କୁ ଇ-ମେଲ୍ କରିଥିଲା । ଦୁଇ ଦିନ ପରେ ମୁଁ ପଚାରିଥିଲି – ଆପଣ ଏହା ଉପରେ କିଛି ମତାମତ ଦେଲେନି । କହିଲେ – “ତମେ ଲେଖିଛ, ଠିକ୍ ହୋଇଥିବ ମୁଁ ନିଶ୍ଚିତ ।”

ତଥାପି ମୁଁ କହିଲି, ଆପଣ ପଢିଛନ୍ତି କି ନାହିଁ ? ସେ କହିଲେ – ମୁଁ ଓଡିଆ ବୁଝି ପାରୁଥିଲେ ମଧ୍ୟ ଠିକ ରେ ପଢିପାରେ ନାହିଁ । ତଥାପି ସେ ଚାରି ପାଞ୍ଚୋଟି ଭାଷା କହିପାରନ୍ତି ବୋଲି ମୁଁ ସେହିଦିନ ସେମିନାର ରୁ ଜାଣିଲି । ମଇ ମାସ ୧ ତାରିଖରେ ହୋଇଥିବା ସେମିନାରରେ କିଛି ତ୍ରୁଟି ପାଇଁ ମୁଁ ସମାଲୋଚନା କରିଥିଲି ।

କିନ୍ତୁ ସେ ମୋ ପାଖକୁ ଫେସବୁକ୍ ମେସେଜ୍ ପଠାଇଥିଲେ – “So we should invite feedback from impartial people. . . .I consider my critics are my best friends than admirers” ।

ଓଡିଶାରେ ସେ ସକ୍ରିୟ ଭାବେ କାମ କରିବାକୁ ଆସିଥିଲେ ୨୦୧୫ରୁ । ସେ ଚାହୁଥିଲେ ଓଡିଶାକୁ ଏକ ଡିଜିଟାଲ୍ ରାଜ୍ୟରେ ପରିଣତ କରିବା ପାଇଁ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଓ ସରକାରଙ୍କ ଉପରେ ଚାପ ପକାଇବା । ସେଥିପାଇଁ ସେ ଯୋଜନା ପ୍ରସ୍ତୁତ କରୁଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଏଥିପାଇଁ ସଚେତନତା ସଭା, ସେମିନାର ଆୟୋଜନ କରିବା ପାଇଁ କାର୍ଯ୍ୟ ଚାଲିଥିଲା ।

କିଛି ଯୁବବନ୍ଧୁଙ୍କୁ ନେଇ ଏକ ଭଲ ଟିମ୍ ମଧ୍ୟ ଗଢିଥିଲେ । ଜୁନ୍ ୬ରେ ମିଡିଆ ଆଡଭୋକେସୀ ଉପରେ ସେ ଏକ ଟ୍ରେନିଂ କାର୍ଯ୍ୟକ୍ରମ କରିବାର ଥିଲା ଭୁବନେଶ୍ୱରେ । ଏଥିପାଇଁ ମଧ୍ୟ ସେ ଗୋଟିଏ ଦାୟିତ୍ୱ ଦେଇଥିଲେ । ସେହି କାମ । ଇଂରାଜୀ ପ୍ରେସ୍ ରିଲିଜ୍ ଓଡିଆ କରିବା କାମ । ମୁଁ ରାଜି ହୋଇଥିଲେ । ସେ କହିଥିଲେ ଟ୍ରେନିଂ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଠାଇବି । କିନ୍ତୁ ମେ ୩୧ରେ ସବୁ କଥା ସରିଗଲା ।

ସେ ଚାଲିଗଲେ ଆଉ ଏକ ଦୁନିଆକୁ । ମଇ ୧୫ ତାରିଖରେ ଫେସବୁକରେ ତାଙ୍କ ଆନ୍ଦୋଳନ ପାଇଁ ପାଣ୍ଠି କେଉଁଠୁ ଆସିବ ବୋଲି ସେ ପଚାରୁଥିଲେ । ମୁଁ କହିଥିଲି ମୋର ସେ ବିଷୟରେ ଧାରଣା କମ୍ । ତଥାପି କହିଥିଲି – ଅର୍ଥ ସଂଗ୍ରହ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ ସମ୍ପତିରେ ଏସବୁ କାମ ହୋଇପାରିବନି । ମୋ କଥାରେ ସେ ରାଜି ଥିଲେ ଓ ତାଙ୍କ ଉତ୍ତର ଥିଲା – “Now my bank balance is Zero, with no property”.  ସେ କହିଥିଲେ – ଜୁନ୍ ୧ରେ ଓଡିଶା ଆସିବି, ଏ ବିଷୟରେ କଥା ହେବା । ସବୁ କଥା କଥାରେ ହିଁ ରହିଗଲା !
–୦ —
ଲେଖକ ଜଣେ ମାନବାଧିକାର କର୍ମୀ,
ମୋ – ୯୮୬୧୨୧୦୧୦୧

Exit mobile version