Site icon Odisha.com

ଗୋକଲ୍ୟାଣ ପତ୍ରିକାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୬ (ଓଡିଶା ଡଟ କମ) ଓଡଶା ଗୋସେବା ସମିତି ଦ୍ୱାରା ଗୋମାତାଙ୍କ ଉପରେ ପ୍ରକାଶିତ ତ୍ରୈମାସିକ ପତ୍ରିକା ‘ଗୋକଲ୍ୟାଣ’ ର ପ୍ରଥମ ବାର୍ଷିକ ଉତ୍ସବରେ ବକ୍ତାମାନେ ମାନବ ସଭ୍ୟତାର ସୁଖ ସମୃଦ୍ଧି ଗୋସେବା, ଗୋ ସଂରକ୍ଷଣ, ଗୋ ସମ୍ବର୍ଦ୍ଧନ ସର୍ବୋପରି ଗୋ କଲ୍ୟାଣରେ ହିଁ ନିହିତ ବୋଲି ମତବ୍ୟକ୍ତ କରିଛନ୍ତି ।

ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ,ଗୋମାତା ଆମ ସଂସ୍କୃତିର ଆଧାର, ସରକାରୀ ବେସରକାରୀ ସବୁ ସ୍ତରରେ ଗୋକଲ୍ୟାଣ ପାଇଁ ଉଦ୍ୟମ ହେବା ବିଧେୟ ।

ପରମହଂସଙ୍କ ଗୋସେବା କାମକୁ ନେଇ ଗଜପତି ମହାରାଜ ସନ୍ତୋଷ ପ୍ରକାଶ କରିବା ସହ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଏ ମହତ କାର୍ଯ୍ୟକୁ ସଫଳ ହେବାକୁ ପ୍ରାର୍ଥନା କରିଥିଲେ । ଦିବ୍ୟ ଜୀବନ ସଂଘ,ଖଣ୍ଡଗିରିର ସ୍ୱାମୀ ଶିବ ଚିଦାନନ୍ଦଜୀ ସରସ୍ୱତୀ ତାଙ୍କ ବକ୍ତବ୍ୟରେ ଗୋମାତାଙ୍କୁ ମାନବ ଜୀବନର ପରମକଲ୍ୟାଣମୟୀ ମା’ଭାବରେ ବର୍ଣ୍ଣନା କରିଥିଲେ ।

ଜନ୍ମଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଏପରିକି ପରକାଳରେ ମଧ୍ୟ ଗୋମାତା ଆମର ରକ୍ଷାକର୍ତ୍ରୀ ବୋଲି ମତବ୍ୟକ୍ତ କରିଥିଲେ । ଚିନ୍ମୟ ମିଶନ,ଓଡିଶା ପ୍ରଦେଶର ମୁଖ୍ୟ ସ୍ୱାମୀ ସଦାନନ୍ଦଜୀ ସରସ୍ୱତୀ କହିଲେ ଯେ, ଗୋମାତା ଆମର ଜନ୍ମଠାରୁ ଆମକୁ ପୋଷଣ କରନ୍ତି । ଆମ ହିନ୍ଦୁମାନଙ୍କର ଏପରି କୌଣସି କର୍ମକାଣ୍ଡ ନାହିଁ ଯେଉଁଥିରେ ଗୋମାତାଙ୍କର ଆବଶ୍ୟକତା ନାହିଁ ।

ନିଜ ଅଭିଭାଷଣରେ ଅନୁଷ୍ଠାନର ମାର୍ଗଦର୍ଶକ ପରମହଂସ ପ୍ରଜ୍ଞାନାନନ୍ଦଜୀ କହିଲେ ମୁଁ ସମଗ୍ର ଦେଶ ଭ୍ରମଣକରି ଏବଂ ସମସ୍ତ ଶାସ୍ତ୍ର ଅଧ୍ୟୟନକରି ଅନୁଭବ କଲି ଗୋମାତା ହେଉଛନ୍ତି ଏ ସୃଷ୍ଟି ବିକାଶର ଆଧାର । ତାଙ୍କ କଲ୍ୟାଣରେ ଜଗତର କଲ୍ୟାଣ । ଏଣୁ ଆମ୍ଭେମାନେ ଗଛମୂଳରେ ପାଣି ଦେଲାଭଳି ଗୋ ସେବା ଦ୍ୱାରା ଏ ସୃଷ୍ଟିକୁ ସମୃଦ୍ଧି ପଥରେ ଆଗେଇ ନେଇ ପାରିବା । ଏହାହିଁ ଆମ ପ୍ରଗତି କଲ୍ୟାଣର ମୂଳମନ୍ତ୍ର ।

ଗୋ କଲ୍ୟାଣ ପତ୍ରିକାର ସମ୍ପାଦକ ପ୍ରଫେସର ଭବାନୀ ପ୍ରସାଦ ଦାସ ଉତ୍ସବ ଆରମ୍ଭରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ଗୋକଲ୍ୟା ପତ୍ରିକାର ଆଭିମୂଖ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ବ୍ରହ୍ମକ୍ଷେତ୍ର ଆଶ୍ରମ,ମହାନଦୀ ବିହାର,କଟକର ଗୁରୁ ଚନ୍ଦ୍ରିକା କ୍ରୀଷ୍ଣା ମା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଉତ୍ସବ ଆରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗୋଭକ୍ତ ସମ୍ବର୍ଦ୍ଧନା ସ୍ୱର୍ଗତ ଡଃ,ଉମେଶ ପତ୍ରୀଙ୍କ ଧର୍ମପତ୍ନୀ ପ୍ରତିଭା ଦେବୀଙ୍କୁ ପ୍ରଦାନ କରାଯିବା ସହ ଗଜପତି ମହାରାଜାଙ୍କ କରକମଳରେ ଗୋକଲ୍ୟାଣ ପତ୍ରିକାର ପଂଚମ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।

ଭୁବନେଶ୍ୱରର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରିଥିଲେ । ଓଡିଶା ଗୋସେବା ସମିତି ତରଫରୁ ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ମଂଚାସୀନ ଅତିଥିବୃନ୍ଦ,ଉପସ୍ଥିତ ଗୋପ୍ରେମୀ ଓ ଗୋଭକ୍ତଗଣ ଭାରତୀୟ ଗୋବଂଶର ବିକାଶ,ବିସ୍ତାର ଓ ସମ୍ବର୍ଦ୍ଧନା ପାଇଁ ଦୃଢ ସଂକଳ୍ପ ଗ୍ରହଣ କରିଥିଲେ ।

ଓଡିଶା ଡଟ କମ

Exit mobile version