Site icon Odisha.com

ପୂର୍ବତନ ଜଜଙ୍କ ଘର ଡକାୟତିରେ ଛଅ ଗିରଫ, ଟଙ୍କା, ସୁନା ଜବତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜୁନ ୯ (ଓଡିଶା ଡଟ୍ କମ୍) ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ଦଶ ଦିନ ତଳେ ହୋଇଥିବା ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଛଅ ଜଣ ଗିରଫ ହୋଇଥିବା ଓ ତାଙ୍କ ଠାରୁ ଲକ୍ଷାଧିକ ନଗଦ ଟଙ୍କା, ସୁନା ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୋମବାର କହିଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ମଧ୍ୟରେ ଓ ସେମାନେ ମୁଖ୍ୟତଃ କଟକ ଓ କେନ୍ଦ୍ରାପଡା ଜିଲ୍ଲାର । ୪୨ ବର୍ଷ ବୟସ୍କ ରମାକାନ୍ତ ପରିଡା ହେଉଛି ଏହି ଦଳର ମୁଖ୍ୟ ଓ ସେ ୧୭ରୁ ଊର୍ଦ୍ଧ୍ଵ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି ।

ସେମାନଙ୍କଠାରୁ ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା, ୨୩୦ ଓ ୭୦ ଗ୍ରାମର ଦୁଇଟି ସୁନା ଖଣ୍ଡ, ଏକ ବନ୍ଧୁକ, ଗୋଟିଏ ବାଇକ୍, ଓ ଅନ୍ୟାନ୍ୟ ସାମଗ୍ରୀ ଯଥା ଛୁରୀ, ଲୁହା ରଡ୍, ମୋବାଇଲ୍ ଫୋନ, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଥିବା ପୁଲିସ କମିଶନର ଡଃ ଆର.ପି ଶର୍ମା ସୂଚନା ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ କେତେ ଜଣଙ୍କୁ ଧରିବା ପାଇଁ ପୁଲିସ ତାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି ।

ମଇ ୩୦ ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ସମ୍ପୃକ୍ତ ଡକାୟତ ଦଳ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ ।

ତା’ପରେ ସେମାନେ ମହାନ୍ତିଙ୍କ ସ୍ତ୍ରୀଙ୍କ ଠାରୁ ଚାବି ଆଣି ଲକ୍ଷାଧିକ ଟଙ୍କା ଓ ଚାରୋଟି ସୁନା ଚୂଡି, କାନ ଫୁଲ, ସୁନା ମୁଦି, ଓ ପାଞ୍ଚ ଟି ସୁନା ହାର ଆଦି ଲୁଟି ସାରି ଗଲାବେଳେ ତାଙ୍କ କାର କାରର ଚାବି ନେଇ ସେଥିରେ ଫେରାର ହୋଇ ଯାଇଥିଲେ ।

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ଓଡିଶା ଡଟ କମ

Exit mobile version