Site icon Odisha.com

ଖଣ୍ଡାଧାର ଖଣି ନିଲାମ ଉଦ୍ୟମକୁ ଆଦିବାସୀଙ୍କ ବିରୋଧ

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ନିଲାମ ଜରିଆରେ ସୁନ୍ଦରଗଡ ଜିଲ୍ଲାର ଖଣ୍ଡାଧାର ଖଣି ଖନନ ପାଇଁ ଦେବାପାଇଁ ସରକାର ଉଦ୍ୟମ କରୁଥିବାରୁ ସ୍ଥାନୀୟ ଆଦିବାସୀ ଏହାର ବିରୋଧ କରିଛନ୍ତି ।

ଖଣ୍ଡାଧାର ଜଳ ପ୍ରପାତ ଅଞ୍ଚଳ ହେଉଛି ବିରଳ ଓ ସଂବେଦନଶୀଳ ଜନଜାତି ପାଉଡି ଭୂୟାଁଙ୍କ ବାସସ୍ଥାନ । ଏହା ବ୍ୟତୀତ ଖଣ୍ଡାଧାର ଜଳ ଉତ୍ସ ଊପରେ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ଅଧିବାସୀ ନିର୍ଭର କରିଥାନ୍ତି । ଆମେ ଏହି ଅଞ୍ଚଳରେ ସବୁ ପ୍ରକାର ଖଣି ଖନନ କୁ ବିରୋଧ କରି ଆସୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଭୂୟାଁ ସଂପ୍ରଦାୟର ନେତା ବିଲୁଆ ନାୟକ ଭୁବନେଶ୍ଵର ରେ ରବିବାର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଖଣ୍ଡାଧାର ହେଉଛି ଜନଜାତିଙ୍କ ଆରାଧ୍ୟ କାନ୍ତା ଦେବୀଙ୍କ ପୀଠ । ଖଣ୍ଡାଧାରକୁ ଏକ ଜାତୀୟ ହେରିଟେଜ ସ୍ଥାନର ମାନ୍ୟତା ଦେଇ ସେଠାରେ ସମସ୍ତ ଖଣି ଖନନ କାର୍ଯ୍ୟ କୁ ବେଆଇନ ଘୋଷଣା କରାଯିବା ସହ ଏହି ପ୍ରାକୃତିକ ବୈଭବକୁ ସଂରକ୍ଷିତ ରଖାଯିବା ଉଚିତ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଖଣ୍ଡାଧାର ଖଣି ଦକ୍ଷିଣ କୋରିଆର ପସ୍କୋ କମ୍ପାନୀକୁ ନିଲାମ ପ୍ରକ୍ରିୟାରୁ ବାଦ୍‍ କରି ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିଥିଲେ । ତେବେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଖାରଜ କରି ଖଣ୍ଡାଧାର ପାଇବାପାଇଁ ହେଲେ ପସ୍କୋକୁ ନିଲାମ ଡାକିବାକୁ ପଡ଼ିବ ବୋଲି କହିଥିଲେ ।

ଏବେ ଏହି ଖଣିକୁ ନିଲାମ ଜରିଆରେ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ କରୁଥିବା ନାୟକ କହିଛନ୍ତି ।

ଓଡିଶା ଡଟ କମ

Exit mobile version