Site icon Odisha.com

ଚିଟ ଫଣ୍ଡ ଯାଞ୍ଚ ଶିଥିଳତା ବିରୋଧରେ ଜମାକାରୀଙ୍କ ବିଶାଳ ରାଲି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୧୦ ଜୁନ (ଓଡିଶା ଡଟ୍ କମ୍): ଚିଟଫଣ୍ଡ ଦୁର୍ନୀତିର ତଦନ୍ତରେ ଶିଥିଳତା, ଜମାକାରୀଙ୍କୁ ଅର୍ଥ ଫେରସ୍ତ ମିଳିବାରେ ବିଳମ୍ବ ଆଦି ପ୍ରତିବାଦରେ ହଜାର ହଜାର ସଂଖ୍ୟାରେ ଜମାକାରୀ ଭୁବନେଶ୍ୱରରେ ବୁଧବାର ଏକ ବିଶାଳ ରାଲିର ଆୟୋଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ଵେ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଲିରେ ଜମା କାରୀ ମାନେ ବହୁ ସଂଖ୍ୟାରେ ସ୍ଲୋଗାନ ଦେଇ, ହାତରେ ପ୍ଲାକାର୍ଡ ଧରି ରେଳ ଷ୍ଟେସନରୁ ବାହାରି ପିଏମଜି ପହଞ୍ଚି ଥିଲେ ।

ଦିନିକିଆ ଓଡିଶା ଗସ୍ତରେ ଆସିଥିବା ସିପିଆଇର ରାଷ୍ଟ୍ରୀୟ ସମ୍ପାଦକ ଡ଼ି. ରାଜା ଏହି ରାଲିକୁ ଉଦବୋଧନ ଦେଇ କହିଥିଲେ ଯେ ଦେଶରେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଲୁଣ୍ଠନ କରି ସରକାର କର୍ପୋରେଟ ସାମ୍ରାଜ୍ୟର ପୁଞ୍ଜିକୁ ବୃଦ୍ଧି କରିବାରେ ଲାଗିଛନ୍ତି ।

ଜମାକାରୀଙ୍କ ଟଙ୍କା ଚିଟଫଣ୍ଡ ଦ୍ଵାରା ଠକେଇ ହୋଇନାହିଁ ଏହା ଦେଶର ବଡ଼ ବଡ଼ ପୁଞ୍ଜିପତିମାନଙ୍କର କର୍ପୋରେଟ ଦ୍ଵାରା ଠକେଇ ହୋଇଛି । ଏହି ଠକେଇ ଓଡିଶା ସହ ଦେଶର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଛି । ତେଣୁ ଏହାର ତୀବ୍ର ବିରୋଧକରି ଜମାକାରୀମାନଙ୍କୁ ଅର୍ଥ ଫେରସ୍ତପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ କରିବାକୁ ପଡିବ ।

ମଞ୍ଚ ପରାମର୍ଶଦାତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ରାଜ୍ୟ ସରକାର ଗତ ଏପ୍ରିଲରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିସ୍ପତି ନେଇଥିଲେ ଯେ ଦେଢମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ହେଲେ କେହି ଜଣେ ବି ଜମାକାରୀ ତାଙ୍କ ଜମାରାଶି ଫେରିପାଇନାହାଁନ୍ତି । ସୁପ୍ରିମ କୋର୍ଟ ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏଁ କିଛି ସୁଫଳ ମିଳିପାରି ନାହିଁ ।

ଏହି ଠକାମୀରେ ଜମାକାରୀଙ୍କ ଠାରୁ ଠକ କମ୍ପାନୀମାନେ ଟଙ୍କା ନେଇ ଗଢିଥିବା ସମ୍ପତ୍ତି ତଦନ୍ତକାରୀ ସଂସ୍ଥା ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମାକାରୀଙ୍କୁ ଚିହ୍ନଟ କରୁନାହାଁନ୍ତି କିମ୍ବା ସୂଚନା ଦେଉନାହାଁନ୍ତି ବୋଲି ଅନ୍ୟ ବକ୍ତା ମାନେ ଅଭିଯୋଗ କରିଥିଲେ ।

ପୁଣି ୧୭୫ଟି କମ୍ପାନୀ ଠକାମୀ କରି ମକଦ୍ଧମାରେ ଜଡ଼ିତ ଥିବାବେଳେ ମାତ୍ର ୧୦ ରୁ ୧୧ଟି କମ୍ପାନୀର ସମ୍ପତ୍ତି ଜବତ କରାଯାଇଛି । ବାକି କମ୍ପାନୀମାନଙ୍କ ପ୍ରତି ତଦନ୍ତକାରୀ ସଂସ୍ଥାମାନେ କୋହଳ ମନୋଭାବ ପୋଷଣ କରୁ ଥିବା ସେମାନେ କହିଥିଲେ ।

ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ସେମାନେ ଦାବୀ କରିଥିଲେ । ସମସ୍ତ ତ୍ରୁଟିଯୁକ୍ତ କମ୍ପାନୀ ଆଇନ୍, ଆର୍ଥିକ ଆଇନ୍ ଓ ସମବାୟ ଆଇନ୍ ସଂଶୋଧନ ସହ ଠକ କମ୍ପାନୀ ମାଲିକ ଓ ପ୍ରଭାବଶାଳୀ ପୃଷ୍ଠପୋଷକମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ପ୍ରଣୟନ ନ କଲେ ଜମାକାରୀ ମାନେ ଜୁଲାଇ୧୫ରୁ ରାଜ୍ୟ ବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ।

ଆସନ୍ତା ଏକ ମାସ ମଧ୍ୟରେ ଠକାମୀ ଅଭିଯୋଗରେ ମକଦ୍ଧମା ରୁଜୁ ହୋଇଥିବା ସମସ୍ତ ୧୭୫ କମ୍ପାନୀର ମାଲିକମାନଙ୍କୁ ଗିରଫ ସହ ତାଙ୍କର ସ୍ଥାବର, ଅସ୍ଥାବର ଓ ବେନାମୀ ସମ୍ପତ୍ତିକୁ ଠାବ କରି ଜବତ କରି ଜମାକାରୀମାନଙ୍କୁ ତାଙ୍କ କଷ୍ଟାର୍ଜିତ ଜମାରାଶି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି ।

ସମାବେଶ ପରେ ଜୟନ୍ତ ଦାସଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଉପସ୍ଥାପନ କରିଥିଲେ ।

ଅନ୍ୟ ଯେଉଁ ବିଶିଷ୍ଟ ବ୍ୟକ୍ତି ମାନେ ଏହି ରାଲି ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ସେମାନେ ହେଲେ ବରିଷ୍ଠ ସମ୍ବାଦିକ ରବି ଦାସ, ଲୋକଶକ୍ତି ମଞ୍ଚର ଅଧ୍ୟକ୍ଷ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସିପିଆଇଏମ୍ ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇର ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇଏମ୍ଏଲ୍ ରେଡ଼୍ ଫ୍ଲାଗର ନେତା ଶିବରାମ, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ।

ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଜମାକାରୀଙ୍କ ଅଭଯୋଗକୁ ଖଣ୍ଡନ କାରୀ କହିଛନ୍ତି ଯେ ଚିଟଫଣ୍ଡ ଠକେଇ ର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରାଇ ଦେବା ପାଇଁ ସରକାର ଆବଶ୍ୟକ ମୁତାବକ ପଦକ୍ଷେପ ନେଉଛନ୍ତି ।

ଓଡିଶା ଡଟ କମ

Exit mobile version