Site icon Odisha.com

ଇଚ୍ଛାଧୀନ କୋଟା ଦୁର୍ନୀତିରେ ୨୧୫ ଜଣକୁ ନୋଟିସ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୧ ଜୁନ(ଓଡିଶା ଡଟ୍ କମ୍): ଇଚ୍ଛାଧୀନ କୋଟାରେ କଟକ ଓ ଭୁବନେଶ୍ଵରରେ ଏକାଧିକ ଜମି ଓ ଘର ପାଇଥିବା ୨୧୫ ଜଣଙ୍କୁ କର୍ତ୍ତୁପକ୍ଷ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଗୁରୁବାର କହିଛନ୍ତି ।

ଭୁବନେଶ୍ଵର ଉନ୍ନୟନ କତ୍ତୃପକ୍ଷ ( ବିଡିଏ ) ୮୦ ଜଣଙ୍କୁ ଏହି ନୋଟିସ ଜାରିକରିଥିବା ବେଳେ କଟକ ଉନ୍ନୟନ କତ୍ତୃପକ୍ଷ ୧୩୫ ଜଣଙ୍କୁ କାହିଁକି ସେମାନଙ୍କୁ ଦିଆଯାଇଥିବା ଜମି ଓ ଘର ବାତିଲ କରା ନ ଯିବ ସେ ସମ୍ପର୍କରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ।

ଚଳିତ ମାସ ଶେଷ ସୁଦ୍ଧା ଏହି ୨୧୫ଜଣଙ୍କୁ ମିଶାଇ ଇଚ୍ଛାଧୀନ କୋଟାରେ ଦ୍ଵେତ ସହରରେ ଜମି, ଘର, ଓ ଫ୍ଲାଟ ଆଦି ନେଇଥିବା ୯୩୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କତ୍ତୃପକ୍ଷ କହିଛନ୍ତି ।

ଏହି ନୋଟିସ ଜାରି କରାଯାଇଥିବା ବ୍ୟକ୍ତିବିଶେଷ ୩୦ ଦିନ ମଧ୍ୟରେ, ସେ କାହିଁକି ଜମି ବା ଘର ବା ଫ୍ଲାଟ ନେଇଥିଲେ, ସେଥିରେ ସେମାନେ କ’ଣ କରୁଛନ୍ତି ଆଦି ଲିଖିତ ଆକାରରେ ସମ୍ପୃକ୍ତ ସଂସ୍ଥା ମାନଙ୍କୁ ଜଣାଇବେ ।

ପ୍ରତିଟି ଜବାବ ବ୍ୟକ୍ତିଗତ ଭାବେ ବିଚାର କରି ସେମାନଙ୍କୁ ଦିଆଯାଇଥିବା ଜମି, ଘର, ଓ ଫ୍ଲାଟ ଆଦିକୁ ବାତିଲ କରାଯିବ କି ନାହିଁ ସେ ସମ୍ପର୍କରେ କତ୍ତୃପକ୍ଷ ନିଷ୍ପତ୍ତି ନେବେ ।

ମିଳିଥିବା ସୂଚନାଅନୁସାରେ, ଏକାଧିକ ଘର, ଜମି, ଓ ଫ୍ଲାଟ ନେବା ମାମଲାରେ ଦୁର୍ନୀତି ନିବାରଣ ବିଭାଗ ବିଡ଼ିଏ ଠାରୁ ୩୧୨ଟି ଫାଇଲ ଓ ହାଉସିଂବୋର୍ଡ ଠାରୁ ୩୨ଟି ଫାଇଲ ଯାଞ୍ଚ ପାଇଁ ନେଇଛି ।

କଟକ ଉନ୍ନୟନ କର୍ତ୍ତ୍ବପକ୍ଷ, ଭୁବନେଶ୍ଵର ଉନ୍ନୟନ କତ୍ତୃପକ୍ଷ, ଓ ରାଜ୍ୟ ଗୃହ ନିର୍ମାଣ ବୋର୍ଡରୁ ବହୁ ପ୍ରଭାବଶାଳୀ ଲୋକ ଏକାଧିକ ଘର ଓ ଜମି ଓ ଘର ନେଇଥିବା ସିଏଜି ତାର ରିପୋର୍ଟରେ ଦର୍ଶାଇବା ପରେ ସରକାର ୧୯୯୫ ଜାନୁୟାରୀ ପହିଲାରୁ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ସବୁ ଘର ଓ ଜମି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏହାର ଯାଞ୍ଚ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ ।

ଟାସ୍କଫୋର୍ସ ରିପୋର୍ଟ ଆଧାରରେ ସରକାର ଏହି ମାମଲାର ତଦନ୍ତ ଭିଜିଲାନସକୁ ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version