Site icon Odisha.com

ମାଛ ଉତ୍ପାଦନ, ରପ୍ତାନି ବୃଦ୍ଧି ପାଇଁ ସରକାରଙ୍କ ନୂତନ ମତ୍ସ୍ୟ ନୀତି

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୧ ଜୁନ(ଓଡିଶା ଡଟ୍ କମ୍): ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଁ ସରକାର ଖୁବ ଶୀଘ୍ର ଏକ ନୂଆ ମତ୍ସ୍ୟ ନୀତି ଘୋଷଣା କରିବାକୁ ଯାଉଥିବା, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଜୟଦେବ ଭବନରେ ବୁଧବାର ଆୟୋଜିତ ଏ ସମ୍ପର୍କିତ ଏକ କର୍ମଶାଳାର” ଉଦଘାଟନ କରି ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦେଶକୁ ରାଜ୍ୟରୁ ୧୦ ହଜାର କୋଟି ଟଙ୍କାର ମତ୍ସ୍ୟ ରତ୍ପାନି କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଉନ୍ନତ ମାନର ଯାଆଁଳା, ବୈଷୟିକ ଜ୍ଞାନକୌଶଳ ଓ ମତ୍ସ୍ୟଜୀବୀଙ୍କୁ ତାଲିମ, ଆଦି ପ୍ରଦାନ କରାଗଲେ ମାଛ ଉତ୍ପାଦନ ଆହୁରି ବଢିପାରିବ ବୋଲି ଆଶା ପ୍ରକଟ କରି ସେ କହିଛନ୍ତି ଯେ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ମାଛ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଦେଶକୁ ରପ୍ତାନି ୨୬ ପ୍ରତିଶତ ଅଧିକ ବୃଦ୍ଧି ପାଇଛି ।

ସେହିପରି ବିଦେଶକୁ ରାଜ୍ୟରୁ ମାଛ ଜାତୀୟ ଦ୍ରବ୍ୟର ରପ୍ତାନି ମଧ୍ୟ ବୃଦ୍ଧି ପାଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ୨୩୦୦ କୋଟି ଟଙ୍କାର ରପ୍ତାନି ହୋଇଥିବା ବେଳେ ପୂର୍ବ ବର୍ଷ ଏହା ୧୮୧୭ କୋଟି ଟଙ୍କା ରହିଥିଲା ।

କୃଷି,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ୩.୩୫ ଲକ୍ଷ ଟନ ମାଛ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଉଛି ୪.୬୭ ଲକ୍ଷ ଟନ ।ଏହି ବଳକା ୧.୧୦ ଲକ୍ଷ ମେଟ୍ରିକ ଟନ ମାଛ ଆଫଗାନିସ୍ତାନ, ଜାପାନ, ଇଣ୍ଡୋନେସିଆ ଆଦି ଦେଶକୁ ରତ୍ପାନୀ କରାଯାଉଛି।

ରାଜ୍ୟରେ ଜଣ ପିଛା ମାଛ ଖାଇବା ପରିମାଣ ୨୦୧୩ – ୧୪ ଓ ୨୦୧୨-୧୩ରେ ହାରାହାରି ୯.୧୩ କେଜି ରହିଥିବା ବେଳେ ୨୦୧୪-୧୫ରେ ଏହା ୯.୪୦ କେଜିକୁ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ମୁଣ୍ଡ ପିଛା ବାର୍ଷିକ ମାଛ ଖାଇବା ପରିମାଣ ହେଉଛି ୯.୮ କିଲୋଗ୍ରାମ ।

ଏହି କାର୍ଯ୍ୟକ୍ରମ ରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ, ସାଂସଦ ପ୍ରସନ୍ନ ପାଟଶାଣୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଓ ଅବକାରୀ ତଥା ସମବାୟ ବିଭାଗ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଭାବେ ୧୧୨ ଜଣଙ୍କୁ ବୁଧବାର ନିଯୁକ୍ତି ଦେଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ।

ସେ କେତେଜଣଙ୍କୁ କାର୍ଯ୍ୟକ୍ରମ ରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ । ୧୮୬ ଜଣ ଭେଟେନାରୀ ଗ୍ରାଜୁଏଟଙ୍କୁ ଖୁବ ଶୀଘ୍ର ନିଯୁକ୍ତି ଦିଆଯାଉଥିବା ସେ ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version